ରାଜନଗର : ବାତ୍ୟା କରିଦେଲା ସୁଭ୍ରଦାଙ୍କୁ ଅସହାୟ

ପଟ୍ଟାମୁଣ୍ଡାଇ : ସାମୁଦ୍ରିକ ବାତ୍ୟା ବାତ୍ୟା ‘ୟାସ’ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଜୁଆର ପାଣି ମାଡିଯିବାରୁ ରଂଗଣୀ ପଂଚାୟତରେ ହଜାରେରୁ ଅଧିକ ପରିବାର ଜଳବନ୍ଦୀ। ପଟ୍ଟାପାରିଆ, ସୌରେନ୍ଦ୍ରପୁର, ଭେକ୍ଟା, ନାରାୟଣପୁର, ହରିଣପୋଖରୀ ଗାଁ ପାଣି ଘେରରେ ରହିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୮୦ ବର୍ଷର ବୃଦ୍ଧା ସୁଭଦ୍ରା ବେରା ଓ ତାଙ୍କର ୫୦ ବର୍ଷର ମାନସିକ ଭାରସାମ୍ୟ ହରାଇଥିବା ଝିଅ। ବାତ୍ୟା ପୂର୍ବରୁ ମା’ ଓ ଝିଅ ଆଶ୍ରୟସ୍ଥଳୀକୁ ଚାଲି ଯାଇଥିଲେ। ବାତ୍ୟା ପରେ ଘରକୁ ଫେରି ଦେଖିଲେ ଘର ଭାଙ୍ଗି ଯାଇଛି।

ବର୍ଷା ଓ ସମୁଦ୍ରର ଲୁଣାପାଣି ମାଡରେ କାନ୍ଥ ଭୁଷୁଡିପଡିଛି। ଘରେ ଥିବା ଚାଉଳ, ଖାଦ୍ୟ ସାମଗ୍ରୀ ଓ ଲୁଗାପଟା ସବୁ ନଷ୍ଟ। ପିନ୍ଧିଥିବା ଲୁଗା ବ୍ୟତୀତ ଆଉ କିଛି ନାହିଁ। ସରକାର ୭ ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି। ହେଲେ ରହିବା ପାଇଁ ସ୍ଥାନ ନାହିଁ। କ’ଣ ଖାଇବେ ସେ ଚିନ୍ତା ଏବେ ସୁଭଦ୍ରା ବେରାଙ୍କୁ ଘାରିଛି।

ସୁଭଦ୍ରାଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିଲା ମାସିକ ଭତ୍ତା। ସେଇ ଟଙ୍କାରେ ଗଣ୍ଡେ ଖାଇ ମା’ ଓ ଝିଅ ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଥିଲେ। ହେଲେ ବାତ୍ୟା ‘ୟାସ’ ତାଙ୍କୁ ବାସହରା କରିଦେଲା। ଆଶ୍ରୟସ୍ଥଳୀକୁ ଯାଇ ଜୀବନ ବଞ୍ଚିଗଲା। ଘରକୁ ଫେରିବା ପରେ ଚିନ୍ତା ବଢିଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତେ କ୍ଷୟକ୍ଷତି ଦେଖିବାକୁ ଆସୁଥିଲେ ହେଁ ଅସହାୟ ସୁଭଦ୍ରାଙ୍କ ଦୁଃଖ କାହାରି ନଜରକୁ ଆସିନଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button