ରାଜନୀତି ନୁହେଁ ଚଉକିର ସଉକି

॥ ମାୟାଧର ନାୟକ ॥ ମୁଁ ଲେଖକ ନ ଥିଲି। ଲେଖକ ହେବାର ଲକ୍ଷ୍ୟ କେବେ ନ ଥିଲା। ଆମେ ସ୍କୁଲ୍ ସାଙ୍ଗମାନେ ଯେତେବେଳେ ଛୁଟିଦିନ କଟାଉଥିଲୁ, ସେତେବେଳେ ସେସବୁ ଦିନ ଥିଲା ନିଆରା। କିଏ କେମିତି ସମୟ କାଟୁଥିଲେ ସ୍କୁଲ୍ ଖୋଲିବା ପରେ ସେସବୁ ଅନୁଭୂତି ଆମ ଭିତରେ ଆମେ ପରସ୍ପରକୁ ଶୁଣାଉଥିଲୁ। ମତେ ପଚରାଗଲେ ମୁଁ କହୁଥିଲି – ମୁଁ ଦିନଯାକ ଗାଆଁପିଲାଙ୍କ ସାଙ୍ଗେ ମିଶି ତୋଟା-ବଣ-ପାହାଡ ବୁଲୁଥିଲି ଆଉ ରାତିରେ ସୁଆଙ୍ଗ ଦେଖୁଥିଲି। ମାତ୍ର ବଡ ହେଲା ପରେ କଲେଜ ଆସି ଦୁଇଟା ନିଶାରେ ମାତିଗଲି। ଗୋଟିଏ ଡ୍ରାମା – ଆରଟି ରାଜନୀତି। ସେତେବେଳେ ଅନେକ ନାଟକର ନାୟକ ଭୂମିକାରେ ଅଭିନୟ କରିଛି। ବେଳେବେଳେ ନାଟକର ସଂଳାପ କହୁକହୁ ମଂଚ ଉପରେ ଆପଣାଛାଏଁ ମୋ ମୁହଁରେ ଆସିଯାଇଛି ନୂଆ ବାକ୍ୟ କିଛିଟା – ଯାହା ନାଟକ-ଲେଖକଙ୍କ ସଂଳାପଠାରୁ ଭିନ୍ନ। ଚରିତ୍ର ଅନୁସାରେ ମୋ ମୁହଁର ସେ ନୂଆ ସଂଳାପସବୁ କାହିଁକି କେଜାଣି ଆପଣାଛାଏଁ ଉଚ୍ଚାରିତ ହୋଇଯାଏ, ଜାଣିପାରେନି। ପରେ ଆଶ୍ଚର୍ଯ୍ୟ ହୁଏ, ଦର୍ଶକ-ଶ୍ରୋତାମାନେ ମୁଗ୍‌ଧ ହୋଇ କିପରି ସେସବୁ ବାକ୍ୟ ସ୍ୱାଭାବିକ ଭାବରେ ଗ୍ରହଣ କରିନେଉଛନ୍ତି ଭାବି ! କଲେଜ ଜୀବନର ନାଟକରେ ଅଭିନୟ କରୁକରୁ ଥରେ ଫିଲ୍ମରେ ଅଭିନୟ କରିବାର ଆମନ୍ତ୍ରଣ ପାଇଲି। କିନ୍ତୁ ସେତେବେଳକୁ ମୋ ଜୀବନଚକଟା ଗଡିବାକୁ ଆରମ୍ଭ କଲାଣି ଆଉଗୋଟାଏ ରାସ୍ତାରେ। ସେ ରାସ୍ତା ଛାତ୍ରରାଜନୀତିର ରାସ୍ତା। ନାଟକର ଅଭିନୟ, ଫିଲ୍‌ମ୍‌ର ଆମନ୍ତ୍ରଣ ଛାଡିଲି, ହେଲେ ରାଜନୀତିର ଆହ୍ୱାନରୁ ମୁଁ ମୁହଁ ଫେରାଇପାରିଲିନି ଆଉ। ସେ ଆହ୍ୱାନ ମତେ କର୍ମତତ୍ପର କରାଇଆସିଛି ଏଯାବତ୍।

ରାଜନୀତି କହିଲେ ମୁଁ ବୁଝେ ଚଉକିର ସଉକି ନୁହେଁ, ବରଂ ଜନସ୍ୱାର୍ଥର ଜାଗ୍ରତ ଚଉକିଦାରି! ଏ ସମାଜରେ ସଂଖ୍ୟାବହୁଳ ସର୍ବହରାର ଜଣେ ଅକିଂଚନ ଉପସ୍ଥାପକ ହେବାରେ ଯେତେ ଆତ୍ମତୃପ୍ତି ମିଳେ, ତା’ ଆଗରେ କୁର୍ସି ପାଇଁ କସରତ ମତେ ଲାଗେ ନିତାନ୍ତ ତୁଚ୍ଛ। ରାଜନୀତିର ଆହ୍ୱାନରେ ମୁଁ ତେଣୁ ମୋର ସ୍ୱଭାବସୁଲଭ ରୁଚିରେ ବାଛିନେଲି ବାମପନ୍ଥୀ ଆଦର୍ଶ। ଘର ଛାଡିଲି। ମତେ ନିଜର କରିନେଲେ ଘର ବାହାରର ଅନେକ ମଣିଷ – ଦୁର୍ଗତ ଆଦିବାସୀଙ୍କଠାରୁ ଆରମ୍ଭ କରି ଦୁଃସ୍ଥ ଶ୍ରମିକବର୍ଗ ପର୍ଯ୍ୟନ୍ତ କେତେ କିଏ। ଛୋଟ ଘରର ମାୟାମମତା ଛାଡି ମୁଁ ପାଇଲି କାହିଁ କେତେଗୁଣ ବଡ ଗୋଟାଏ ସଶ୍ରଦ୍ଧ ସଂସାର।

୧୯୭୫ ମସିହା ଜୁନ୍ ୨୫ ତାରିଖ ରାତିଅଧିଆ ସାରା ଦେଶରେ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଜାରି ହେଲା ଜରୁରୀକାଳୀନ ପରିସ୍ଥିତି। ସେଇ ସମୟରେ କଟକ ସେଂଟ୍ରାଲ୍ ଜେଲ୍‌ରେ ମତେ କଟାଇବାକୁ ପଡିଥିଲା ଦେଢବର୍ଷରୁ ଉର୍ଦ୍ଧ୍ୱକାଳ ଜଣେ ରାଜବନ୍ଦୀର ଜୀବନ। ସେଇଠି ଜଣେ ଅନନ୍ୟ ମଣିଷ ନବକୃଷ୍ଣ ଚୌଧୁରୀଙ୍କ ସହିତ ଆରମ୍ଭ ହେଲା ପ୍ରତ୍ୟକ୍ଷ ଆନ୍ତରିକ ସଂପର୍କ। ଓଡିଶା ରାଜନୀତିରେ ନବବାବୁ କେବଳ ଏକ ଅବିସ୍ମରଣୀୟ ଉଜ୍ୱଳ ନକ୍ଷତ୍ରର ନାମାନ୍ତର ନୁହନ୍ତି, ସାରା ଭାରତବର୍ଷରେ ତାଙ୍କ ଉଦାର ବ୍ୟକ୍ତିତ୍ୱ ଯୋଗୁ ଏକ ଉଦାହରଣ ମଧ୍ୟ। ଏପରିକି ପ୍ରଧାନମନ୍ତ୍ରୀ ନେହରୁଙ୍କୁ ଅପେକ୍ଷା କରି ଯେତେବେଳେ ବାହାରେ ଗୋଟାଏ ବିରାଟ ଭିଡ ଜମି ରହିଥାଏ, ସେତେବେଳେ ସରଳ ସ୍ୱଚ୍ଛନ୍ଦ ନବବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ବେଡ୍‌ରୁମ୍ ଦରଜା ପାଖରେ ପହଂଚିବାରେ କିଚି ବାଧାବାରଣ ନ ଥିଲା। ନେହରୁ ଖୁବ୍ ଭଲ ପାଉଥିଲେ ନବବାବୁଙ୍କୁ। ଏଇ ସେଇ ମହାନ୍ ଜନନେତା ନବକୃଷ୍ଣ ଚୌଧୁରୀ – ଓଡିଶା ରାଜନୀତିରେ ସରଳତମ ଅଥଚ ଅସାଧାରଣ ଜଣେ ବ୍ୟକ୍ତିତ୍ୱ – ଯିଏ କାହିଁକି କେଜାଣି ମତେ ତାଙ୍କ ସ୍ନେହଭାଜନ ହେବାର ସୌଭାଗ୍ୟ ଦାନ କରିଥିଲେ, ତାର କୌଣସି ଯୁକ୍ତିସଂଗତ କାରଣ ବା ଅନୁମାନର ଆଦିଅନ୍ତ ଆଜି ବି ଖୋଜିବସିଲେ ମୁଁ ପାଇପାରେନା।

କଟକ ସେଂଟ୍ରାଲ୍ ଜେଲ୍‌ରେ ମତେ ଦିନେ ନବବାବୁ ପାଖକୁ ଡାକି ଆଦରରେ ବସାଇଲେ। କହିଲେ- ମାୟାଧର, ଖାଲି ରାଜନୀତି କଲେ ହେବନି। ରାଜନୀତି କରିବା ଭିତରେ ତମେ ତ ଜନସ୍ରୋତ ସହିତ ନିଜକୁ ମିଶାଇଦେଇଚ। ଅନେକ ଜାଗା, ଅନେକ ଲୋକ ଦେଖିସାରିବଣି। ସେଇ ବିଭିନ୍ନ ସ୍ଥାନର ଲୋକମାନଙ୍କ ଦୁଃଖସୁଖକୁ ନେଇ ଏବେ କିଛି ଲେଖ। ଦେଖିବ, ଏ ଜେଲ୍ ରହଣିଟା କୁଆଡେ କେମିତି ମିଳେଇ ଯିବ ଜାଣିପାରିବନି।

ମୁଁ – ପୁଣି ଲେଖାଲେଖି ? ବିଶ୍ୱାସ ହେଲାନି। ମୋ ଭିତରେ କେବେ କେଉଁଦିନ ମୁହୂର୍ତ୍ତକ ପାଇଁ ସୁଦ୍ଧା ଲେଖକଟିଏ ଶୋଇରହି କର ଲେଉଟାଇ ଥିବାର ଅନୁଭବ କରିନି ମୁଁ। ଅଥଚ ନବବାବୁଙ୍କ ନିର୍ଦ୍ଦେଶ ମଧ୍ୟରେ କି ମନ୍ତ୍ର ଥିଲା ଜାଣିନି, ଦିନେ କଲମ ଧରିଲି। କଅଣ ଲେଖିବି ? ବୁଦ୍ଧିବାଟ କିଛି ଦିଶିଲାନି। କିଛିଦିନ ଭାରି ବ୍ୟସ୍ତ ହେଲି। ନବବାବୁଙ୍କର ସେଇ ପଦେ ଦି’ପଦ କଅଁଳ କଥା ମତେ ସେଦିନ ପଙ୍ଗୁକୁ ଗିରିଲଂଘନ କରିବାର କଡା ହୁକୁମ୍‌ଠାରୁ ସୁଦ୍ଧା ଆହୁରି କଠିଣ ମନେହେଲା। ନା, ମୋ ଦେଇ ଏସବୁ ହେବନି।

କିଛିଦିନ ପରେ ସେଇ ସେଂଟ୍ରାଲ୍ ଜେଲ୍‌ର ଗୋଟିଏ ଯୁବକଏଦୀ ଆସି ମୋ ପାଖରେ ଅଧିକାଂଶ ସମୟ ଆପେଆପେ ବସିରହିଲା – ମୋର ସେବାଯତ୍ନ କରିବାକୁ ଆଗଭର ହେଲା । ବସୁବସୁ ସେ ତା’ର ଜୀବନକାହାଣୀ ଶୁଣାଇଲା। ଅତି ମାମୁଲି ମଣିଷ ସେ। ମିଛ ମାମଲାରେ ଫସି ସେ ଆସି ପଶିଚି ଏ ବନ୍ଦୀଶାଲାରେ। ମୁଁ କଅଣ ସେଦିନ ଜାଣିଥିଲି – ସେଇ ଦୁର୍ଭାଗା ଯୁବକଟି ହେବାକୁ ଯାଉଛି ମୋ ଲେଖାର ପ୍ରଥମ ଚରିତ୍ର ?

ମୋ ଭଳି ଗୋଟାଏ ଅଲେଖକ – ଯିଏ ଆଗରେ ପୁଳାଏ କାଗଜ ଥୋଇ ଲେଖାଲେଖି କରିବାକୁ କଲମ ଟେକିଚି, ଅଥଚ ବୁନ୍ଦାଏ କାଳି ଝରୁନି ସେ କଲମରୁ – ତାର ପ୍ରଥମ ଲେଖାଟା ହେବ ଗୋଟାଏ ଉପନ୍ୟାସ ? ହେଲେ ସେ ଯୁବକଏଦୀର ଜୀବନବୃତାନ୍ତ ମତେ ସେଦିନ ଟାଣିନେଇଥିଲା ଗୋଟାଏ ଭିନ୍ନ ଦୁନିଆକୁ – ଯେଉଁଠି ମୋ ଅପେକ୍ଷାରେ ଥିଲେ ଆଗାମୀ କାଲି ଲେଖିବାକୁ ଥିବା ଗୁଡିଏ ଗଳ୍ପର ଚରିତ୍ର, ଘଟନା ଆଉ ଅଙ୍ଗେନିଭା ଅନୁଭୂତିସବୁ।

ନା, ମୁଁ ଲେଖକ ନ ଥିଲି। ଲେଖୁଲେଖୁ ଲେଖିଦେଲି – ଲେଖି ଚାଲିଲି – ଆଜି ବି ଲେଖୁଛି। ସେଇ କଟକ ସେଂଟ୍ରାଲ୍ ଜେଲ୍ ହିଁ ମୋ ଲେଖାର ଏନ୍ତୁଡିଶାଳ। ଯେଉଁ ନବବାବୁ ମତେ ଲେଖିଯାଅ ବୋଲି କହିଥିଲେ, ସେଇ ନବବାବୁଙ୍କୁ ମୁଁ କିନ୍ତୁ ଲେଖିବା ପରେ କୌଣସି ଲେଖା ଦେଖାଇପାରିବାର ସୁଯୋଗ ନ ଥିଲା। ଯେତେବେଳେ ସେସବୁ ଦିନରେ ସେ ମତେ ପ୍ରଶ୍ନ କରନ୍ତି – କଅଣ ମାୟାଧର, କିଛି ଲେଖିଲ ? ମୁଁ ମୁଣ୍ଡ ତଳକୁ କରିଦିଏ। ମାତ୍ର ମୁଁ ଲେଖିଲାବେଳକୁ ସେ କଟକ ସେଂଟ୍ରାଲ୍ ଜେଲ୍‌ରୁ ଚାଲିଯାଇଥାନ୍ତି ଅନ୍ୟ ଜେଲ୍‌କୁ।

ଆଜି ସେଦିନର ଅନେକ କଥା ମନେପଡେ। ସେଦିନର ସେ ସହୃଦୟତା, ସଂପର୍କର ଉଷ୍ଣତା ଏବେ ଉଦ୍ଭାନ୍। ସେମିତି ମଣିଷ ବି ଆଖିରେ ପଡୁନାହାନ୍ତି, ଯାହାଙ୍କ ସହିତ ମନ ମିଶାଇହେବ, ପଦେଦି’ପଦ ଦୁଃଖସୁଖ ହେଇହେବ। ସବୁଆଡେ ଭଦ୍ରବ୍ୟକ୍ତି, ଭଦ୍ରମହିଳା, ନାଗରିକ, ମପାଚୁପା ଲୋକ, ଭୋଟର୍ ଭିଡର ଭଉଁରି। ସେମାନଙ୍କ ଭିତରେ ଭାଇଟିଏ, ବନ୍ଧୁଟିଏ, ବିରାଦରଟିଏ କି ମାଆମାଉସୀଟିଏ ଖୋଜି ପାଇବା କାଠିକର ପାଠ। ରାଜନୀତିର ଧାରା ବଦଳିଚି, ଲୋକଚରିତ୍ର ବି। ଲୋକଙ୍କ ପକେଟ୍‌ରେ ପଇସା ଭର୍ତି, କିନ୍ତୁ ଛାତି ତଳେ ହୃଦୟ ନାହିଁ। ଅନେକ ଅଦଳବଦଳ ହୋଇସାରିଛି ଏ ସମାଜରେ। ସେଦିନ ସର୍ବହରାର ପଟୁଆର ଦେଖିଛି, ଆଜି ବିସ୍ଥାପିତର ବାହୁଡା ଦେଖୁଛି। ଏ ବାହୁଡିା କୁଆଡେ ? ଗୋଟାଏ ଅନିର୍ଦ୍ଦିଷ୍ଟ ଉପତ୍ୟକାର ଶୂନ୍ୟତାଆଡେ। କୁହୁଡି ଭିତରେ ମଣିଷ ଆଜି ଖୋଜୁଚି ନିଜକୁ। ଧୂଆଁ ଭିତରେ ନିଆଁ ଖୋଜୁଚି ତା’ ନିଜର ଇତିହାସ। ଏଭଳି ଏକ ସନ୍ଧିକ୍ଷଣ ମୋ ସାମ୍ନାରେ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave a Reply

Your email address will not be published. Required fields are marked *

Back to top button