ରାଜସ୍ଥାନ : ବିଧାନସଭା ଡାକିବାକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବ ସଂଶୋଧିତ ପ୍ରସ୍ତାବ

ଜୟପୁର : ରାଜସ୍ଥାନର ରାଜନୀତି ଏବେ ଭିନ୍ନ ମୋଡ ନେଇଛି। ଆଜି କ୍ୟାବିନେଟ ବୈଠକରେ ହୋଇଛି ନୂଆ ନିଷ୍ପତ୍ତି। ବିଧାନସଭା ଅଧିବେଶନ ଡାକିବା ପାଇଁ ସଂଶୋଧିତ ପ୍ରସ୍ତାବ ପାରିତ କରାଯାଇ ଏହାକୁ ପୁଣିଥରେ ରାଜ୍ୟପାଳଙ୍କ କଲରାଜ ମିଶ୍ରଙ୍କ ପାଖକୁ ପଠାଯିବ ବୋଲି ଜଣାପଡିଛି।

ଶନିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିଲା କ୍ୟାବିନେଟ ବୈଠକ। ବୈଠକରେ ନିଷ୍ପତ୍ତି ହୋଇଥିଲା ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଏକ ସଂଶୋଧିତ ପ୍ରସ୍ତାବ ପଠାଇ ପୁଣି ଥରେ ଅନୁରୋଧ କରାଯିବ। ବିଧାନସଭା ଅଧିବେଶନ ବସିଲେ ଗେହଲୋଟ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ଏହି ଦାବି କରାଯାଉଛି। ଏହି ଅବସରରେ ଗେହଲଟ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅଭିଯୋଗ କରିବି। ଆବଶ୍ୟକ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଆଗରେ ଧାରଣାରେ ବସିବି।

ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସରେ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ପରଠାରୁ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ହୋଟେଲରେ ରହିଛନ୍ତି। ନିକଟ ଭବିଷ୍ୟତରେ ସଂକଟ ସମାଧାନର ଆଶା ଦେଖାଯାଉନଥିବାରୁ ସେମାନଙ୍କୁ ଆଉ କିଛି ଦିନ ସେଠାରେ ରହିବାକୁ ହେବ ବୋଲି ଗେହଲୋଟ କହିଛନ୍ତି। ବିଧାୟକମାନେ ମଧ୍ୟ ବୈଠକରେ ଗେହଲୋଟଙ୍କୁ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ଆଜି ରାଜ୍ୟପାଳଙ୍କୁ ଭେଟିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।