ରାଜସ୍ଥାନ ରାଜନୀତି : ଗେହଲଟ-ପାଇଲଟ ହାତ ମିଳାଇଲେ

ଜୟପୁର : ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୀତିକ ବିବାଦ ତୁଟିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ପହଞ୍ଚିଲେ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକ। ସମସ୍ତଙ୍କୁ ଗେହଲଟ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଗେହଲଟ ଓ ପାଇଲଟ ହାତ ମିଳାଇଛନ୍ତି।

ଆସନ୍ତାକାଲି ବସିବ ରାଜସ୍ଥାନ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିଲା। ପୂର୍ବ ଯୋଜନା ଅନୁଯାୟୀ ସମସ୍ତ ବିଧାୟକଙ୍କ ସହିତ ସଚିନ ପାଇଲଟ ଗେହଲଟଙ୍କ ଘରେ ପହଞ୍ଚିଥିଲେ। ଆସନ୍ତାକାଲି ଦଳ କେଉଁ ରଣନୀତି ପ୍ରସ୍ତୁତ କରିବ ସେ ବିଷୟରେ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି। ଏହାଛଡା ବିରୋଧୀ ଭୂମିକା ପାଇଁ ବିଧାୟକ ବନୱର ଲାଲ ଶର୍ମା ଓ ବିଶଭେନ୍ଦର ସିଂହଙ୍କ ଉପରେ କଂଗ୍ରେସ ଲାଗୁ କାରିଥିବା ନିଲମ୍ବନ ଆଦେଶକୁ ଆଜି ପ୍ରତ୍ୟାହାର କରି ନେଇଛି। ଏହି ଦୁଇ ବିଧାୟକ ସଚିନ ପାଇଲଟଙ୍କ ଘନିଷ୍ଠ। ଉଭୟ ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି ଅଶୋକ ଗେହଲଟ୍‌ଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ବେଶୀ ଦିନ ତିଷ୍ଠିବ ନାହିଁ। ରାଜସ୍ଥାନ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହେବାର ଦିନକ ଆଗରୁ ବସୁନ୍ଧରାଙ୍କ ଭଳି ବିରୋଧୀ ନେତା ଗୁଲାବ ଚାନ୍ଦ କଟାରିଆ କହିଛନ୍ତି କେତେକ ନିଷ୍ପତ୍ତି କାରଣରୁ କଂଗ୍ରେସ ମଧ୍ୟରେ ବିବାଦ ହେବ। ତେଣୁ ଆସନ୍ତାକାଲି ତାଙ୍କ ଦଳ ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ କରିବ।

ମତାମତ ଦିଅନ୍ତୁ ।