ରାସ୍ତାରୁ ପ୍ରଦୂଷଣ ହ୍ରାସ କରିବ ଏହି ଗଛ

ବାୟୁ ପ୍ରଦୂଷଣ ଏବେ ବିଶ୍ୱରେ ମୁଖ୍ୟ ସମସ୍ୟା। ପ୍ରତି ୧୦ ଜଣରୁ ୯ ଜଣ ରହୁଛନ୍ତି ଦୂଷିତ ପରିବେଶରେ। ଏଥିପାଇଁ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଯାଉଛି। ଛୋଟ ପିଲାଙ୍କ ଜୀବନ ଧାରଣର କ୍ଷମତା ହ୍ରାସ ପାଉଥିବା ବେଳେ ସେମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ପ୍ରଦୂଷଣ ରୋକିବାକୁ ଚେଷ୍ଟା ଚାଲିଛି କିନ୍ତୁ ସୁଫଳ ମିଳୁନାହିଁ। ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ନୂଆ ଆବିଷ୍କାର କରିଛନ୍ତି। ଏମିତି ଏକ ‘ସୁପର ପ୍ଲାଣ୍ଟ’ ରହିଛି ଯାହା ଭିଡ଼ ରାସ୍ତାରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିପାରିବ।

ଖବର ଅନୁଯାୟୀ ବ୍ରିଟେନର ରୟାଲ ହର୍ଟିକଲଚର ସୋସାଇଟି (ଆରଏଚ୍ଏସ୍) ପ୍ରଦୂଷଣକୁ ହ୍ରାସ କରି ପାରୁଥିବା ସୁପର ପ୍ଲାଣ୍ଟକୁ ଠାବ କରିଥିବା ଦାବି କରିଛି। Cotoneaster franchetii ଗଛ ସମ୍ପର୍କରେ କହିଛି ଆରଏଚ୍ଏସ୍। ଏହି ଗଛ ବେଶ ଜଙ୍ଗଲିଆ, ଏଭରଗ୍ରୀନ ଓ ଏଥିରେ ଚିକଣିଆ ପତ୍ର ରହିଥିବା ବେଳେ ନାଲି ରଙ୍ଗର ଛୋଟଛୋଟ ଫଳ ଫଳୁଛି। ବର ଗଛର ଫଳ ପରି ସୁପର ପ୍ଲାଣ୍ଟରେ ଦେଖିବାକୁ ମିଳିଛି ଫଳ। ଏହାର ପତ୍ର ଉପରେ ଚୁଟି ଭଳି ଅତି ପତଳାର ଆସ୍ତରଣ ରହିଛି। ସାଧାରଣ ବ୍ରିଟେନରେ ଦେଖାଯାଉଥିବା ଏହି ଗଛଟି ପ୍ରଦୂଷଣକୁ ପ୍ରାୟ ୨୦ ପ୍ରତିଶତ % ହ୍ରାସ କରିବାକୁ ସକ୍ଷମ।

ବାୟୁମଣ୍ଡଳରୁ ପ୍ରଦୂଷଣକୁ ନିଜ ପତ୍ର ଓ ଡାଳରେ ବାନ୍ଧି ରଖିବାକୁ ଏହି ଗଛଟିର କ୍ଷମତା ରହିଛି। ୭ ଦିନରେ ୮୦୦ କିମି ଯାତ୍ରା କରିବା ବେଳେ ଗୋଟିଏ କାର୍‌ରୁ ଯେତିକି ପରିମାଣର ପ୍ରଦୂଷଣ ନିର୍ଗତ ହୋଇଥାଏ ତାହାକୁ ଗୋଟିଏ ମିଟର ଲମ୍ବ Cotoneaster franchetii ନିଜ ପାଖରେ ବାନ୍ଧି ରଖିଥାଏ।

ଗଛଟିକୁ ନେଇ ଆରଏଚ୍‌ଏସ୍‌ ପରୀକ୍ଷାନିରୀକ୍ଷା କରିବାରୁ ଏହା ଜଣାପଡିଛି। ଆରଏଚ୍‌ଏସ୍‌ କହିଛି ଭିଡ଼ ରାସ୍ତାରେ ପ୍ରଦୂଷଣ ହ୍ରାସ ପାଇଁ ଏହି ଗଛ ବେଶ ଭଲ କାମ କରୁଛି। ତେବେ ସୁପର ପ୍ଲାଣ୍ଟରେ ଆଉ କ’ଣ କ୍ଷମତା ରହିଛି ତା’ର ଅନୁଧ୍ୟାନ ଚାଲିଛି। ସେହିପରି ଅନ୍ୟ ଗଛ ସହ ମିଶି ଏହାକୁ ବ୍ୟବହାର କଲେ କ’ଣ ଫାଇଦା ମିଳିବ ତାହାର ସମୀକ୍ଷା ହେଉଛି ବୋଲି ଆରଏଚଏସ୍‌ ମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ ବ୍ରିଟେନରେ ବାୟୁ ପ୍ରଦୂଷଣ ଯୋଗୁ ୩୩ ପ୍ରତିଶତ ଲୋକ ପ୍ରଭାବିତ ହେଉଛନ୍ତି। ହେଲ ମାତ୍ର ୬ ପ୍ରତିଶତ ଲୋକ ଏଥିରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥିତିରେ ସୁପର ପ୍ଲାଣ୍ଟ ସମସ୍ତଙ୍କୁ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button