ରଜନୀକାନ୍ତ ଜାନୁଆରୀରେ ଲଞ୍ଚ କରିବେ ରାଜନୀତିକ ଦଳ

ଚେନ୍ନାଇ : ସାଉଥ ସୁପରଷ୍ଟାର ରଜନୀକାନ୍ତ ଆସନ୍ତା ଜାନୁଆରୀ ମାସରେ ରାଜନୀତିକ ଦଳର ଲୋକାର୍ପଣ କରିବେ। ଡିସେମ୍ବର ୩୧ରେ ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଗୁରୁବାର ରଜନୀକାନ୍ତ କହିଛନ୍ତି ଆମ ଦଳ ଲୋକଙ୍କ ସମର୍ଥନ ହାସଲ କରି କ୍ଷମତା ଦଖଲ କରିବ। ଭେଟିଦେବ ଦୁର୍ନୀତି ମୁକ୍ତ ଶାସନ। ଆମେ ଏମିତି ଏକ ସ୍ୱଚ୍ଛ ସରକାର ଗଠନ କରିବୁ ଯାହା ଧର୍ମ, ଜାତି ଓ ବର୍ଣ୍ଣ ବୈଷମ୍ୟ ଠାରୁ ଉପରେ ରହି କାର୍ଯ୍ୟ କରିବ। ଆମେ ସବୁ କିଛି ପରିବର୍ତ୍ତନ କରିବୁ। ମିରାକିଲ ଓ ଅବିଶ୍ୱନୀୟ ଘଟଣା ଘଟିବ। ଯଦି ଏବେ ପରିବର୍ତ୍ତନ ହେବନି ତା’ହେଲେ କେବେ ପରିବର୍ତ୍ତନ ହେବନାହିଁ ବୋଲି ସେ କହିଛନ୍ତି।

ରଜନୀକାନ୍ତ ଏହି ଘୋଷଣା ପୂର୍ବରୁ ମକ୍କଲ ମାନନ୍ଦ୍ରମର ଜିଲ୍ଲା ସଚିବମାନଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି ଦେଇଥିଲେ ସୂଚନା। ଆଜି ନିଜର ପୋଜ ଗାର୍ଡେନ ସ୍ଥିତ ବାସଭବନରେ ସାମ୍ବାଦିକମାନଙ୍କୁ ରଜନୀକାନ୍ତ କହିଛନ୍ତି ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ମୁଁ ଆସିବି ବୋଲି ପୂର୍ବରୁ କହିଥିଲି। ମୁଁ ଚାହୁଁଥିଲି ରାଜ୍ୟସାରା ବୁଲିବି। ହେଲେ କୋଭିଡ ଏଥିରେ ପ୍ରତିବନ୍ଧକ ସାଜିଲା। ଆମେ ସରକାର ଓ ରାଜନୀତିରେ ପରିବର୍ତ୍ତନ କରିବୁ। ମୁଁ କେବଳ ଗୋଟିଏ ଛୋଟିଆ ମାଧ୍ୟମ। ଲୋକମାନେ ହିଁ ପରିବର୍ତ୍ତନ କରିବାର କ୍ଷମତା ରଖିଛନ୍ତି। ଯଦି ମୁଁ ଜିତିବି ତା’ହେଲେ ତାହା ଲୋକଙ୍କ ବିଜୟ ହେବ। ଯଦି ହାରିବି ତା’ହେଲେ ସେଥିପାଇଁ ଦାୟୀ ମୁଁ ରହିବି। ଲୋକମାନେ ହିଁ ମୋତେ ହରାଇବେ। ମୁଁ ସମର୍ଥନ ପାଇଁ ଲୋକଙ୍କୁ ଅନୁରୋଧ କରୁଛି। ଯଦି ମୋ ଜୀବନ ତାମିଲନାଡୁବାସୀଙ୍କ ପାଇଁ ଚାଲିଯିବ ତା’ହେଲେ ମୁଁ ବହୁତ ଖୁସି ହେବି ବୋଲି ରଜନୀକାନ୍ତ କହିଛନ୍ତି।

ମତାମତ ଦିଅନ୍ତୁ ।