ସାଧାରଣ ଲୋକଙ୍କୁ ସରକାରୀ ଅଫିସ ପ୍ରବେଶ ମନା

ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ସରକାରୀ ଅଫିସଗୁଡ଼ିକରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛନ୍ତି। କେବଳ ଜରୁରୀ ପରିସ୍ଥିତରେ ବରିଷ୍ଠ ଅଧିକାରୀଙ୍କ ଅନୁମତି ନେଲେ ପ୍ରବେଶ ଅନୁମତି ମିଳିପାରିବ।
ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ଵର, କଟକ ଓ ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଇଛି ସେଠାରେ ଏହି କଟକଣା ରହିବ। ସାଧାରଣ ଲୋକଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ରହିଛି ତେବେ ସେମାନେ ଇ-ଅଭିଯୋଗ ପୋର୍ଟାଲର ଉପଯୋଗ କରିପାରିବେ। ସେହିପରି ଅଫିସ ଓ ଅନ୍ୟ ସ୍ଥାନରେ ବୈଠକ ଓ ସଭା ଆଦି ଆୟୋଜନକୁ ବାରଣ କରାଯାଇଛି। ଜରୁରୀ ବୈଠକ କ୍ଷେତ୍ରରେ ସାମାଜିକ ଦୂରତ୍ଵ ପାଳନ ଓ ପରସ୍ପରଠାରୁ ୨ ମିଟର ଦୂରତାରେ ବସି ବୈଠକ କରିହେବ।
ସେହିପରି ଆସନ୍ତା ୧୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବିଡିଏ ଓ ବିଏମସି ଅଫିସରେ ପ୍ରବେଶକୁ ନିଷେଧ କରାଯାଇଛି। ଯଦି କୌଣସି ଆପତ୍ତି ଅଭିଯୋଗ ରହିଛି ତେବେ ବିଡିଓ-ବିଏମସି ଓ ସ୍ମାର୍ଟସିଟିର ଥିବା ଏକକ ପୋର୍ଟାଲ bhubaneswar.me କୁ ଯାଇ ସିଟିଜେନ ସର୍ଭିସେସରେ ତାହାକୁ ଦାଖଲ କରିପାରିବେ। କିମ୍ବା ବିଏମସି ଟେଲିଫୋନ ନମ୍ବର ୦୬୭୪-୨୪୩୧୨୫୩ କିମ୍ବା ଇମେଲ: info@bmc.in ଏବଂ ବିଡିଏର ଫୋନ ନଂ ୦୬୭୪-୨୩୯୨୨୮୦ କିମ୍ବା ଇମେଲ ଆଇଡି bdabbsr1983@gmail.com ରେ ଅଫିସ ସମୟରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।