ସମାଜରେ ବଢୁଛି ସମ୍ବେଦନହୀନତା

॥ ଗୋପାଳ ମହାପାତ୍ର ॥ କେତେଦିନ ପର୍ଯ୍ୟନ୍ତ ଦେଶରେ ଏମିତି ବଳାତ୍କାର ଘଟଣା ଘଟି ଚାଲିଥିବ ? କେତେଦିନ ପର୍ଯ୍ୟନ୍ତ ମହିଳାମାନେ ଦୁଷ୍କର୍ମର ଶିକାର ହେଉଥିବେ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଆସୁଛି । ଯେଭଳି ଭାବେ ଦେଶରେ ଯୌନଶୋଷଣର ଘଟଣାମାନ ଘଟିଚାଲିଛି ତାକୁ ଦେଖିଲେ ଲାଗୁଛି ସତେ ଯେମିତି ଆଜି ବି ସମାଜରେ ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳତା ନାହିଁ । ଦୁଃଖଦ ସ୍ଥିତି ତ ସେତେବେଳେ ଅଧିକ ହୋଇଯାଏ ଯେତେବେଳେ ନ୍ୟାୟ ଦେବା ନାମରେ ରାଜନୈତିକ ଦଳମାନେ ଫାଇଦା ଉଠାଇବା ପାଇଁ ଚେଷ୍ଟା ଆରମ୍ଭ କରି ଦିଅନ୍ତି । ଅବସ୍ଥାରେ ଓ ସମାଜରେ ପରିବର୍ତ୍ତନ ଘଟୁଛି କିନ୍ତୁ ଆଜି ବି ମହିଳାମାନଙ୍କୁ କେବଳ ଭୋଗ ବିଳାସର ବସ୍ତୁ ଭାବେ ବିବେଚନା କରାଯାଉଛି । ଏଭଳି ଘଟଣା ଭାରତ ବର୍ଷ ଭଳି ଦେଶ ପାଇଁ ଦୁର୍ଭାଗ୍ୟର ଘଟଣା ନିଶ୍ଚୟ ।

ସମୟର ପରିବର୍ତ୍ତନ ସହ ତାଳ ମିଳାଇ ଆମ ସମାଜ ଓ ଆମ ସଂସ୍କୃତି ଆଧୁନିକତା ଆଡ଼କୁ ମୁହାଁଇବାରେ ଲାଗିଛି । କିନ୍ତୁ ମହିଳାମାନଙ୍କୁ ସମାଜରେ ଉଚିତ ନ୍ୟାୟ ମିଳୁନାହିଁ । ପିତୃସତ୍ତାତ୍ମକ ଏବଂ ରୁଢ଼ିବାଦୀ ସମାଜ ମହିଳାମାନଙ୍କୁ ପୁରୁଷଠାରୁ କମ୍ ବୋଲି ଆକଳନ କରୁଛି । ସମାଜରେ ମହିଳାମାନଙ୍କ ପ୍ରତି ବଢ଼ି ଚାଲିଥିବା ହିଂସା, ଶୋଷଣକୁ ଅନେକାଂଶରେ ଭୁଲ୍ ବୋଲି ଗ୍ରହଣ କରାଯାଉନାହିଁ ଏପରିକି ଆଇନତଃ ଦୋଷୀକୁ କଠୋର ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଉନାହିଁ । ଏଭଳି କାରଣରୁ ଶୋଷଣକାରୀ ବଳାତ୍କାରୀମାନଙ୍କର ସାହସ ବଢ଼ି ଚାଲିଛି ଓ ସେମାନେ ଏଭଳି କାଣ୍ଡ ଘଟାଇ ଚାଲିଛନ୍ତି ।

ପ୍ରତିଦିନ ଦେଶରେ ନାବାଳିକା, କିଶୋରୀ, ଦଳିତ ମହିଳାମାନେ ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକଙ୍କର ମଧ୍ୟ ମୃତ୍ୟୁ ଘଟୁଛି । ସରକାରୀ ତଥ୍ୟ ଏ ପ୍ରସଙ୍ଗରେ ଯାହା କହୁଛି ତା’ଠାରୁ ଢେର ଅଧିକ ଘଟଣା ଘଟୁଛି । ଭାରତ ବର୍ଷ ଏକ ନ୍ୟାୟପ୍ରିୟ ଦେଶ ଯେଉଁଠି ସମସ୍ତେ ସମାନ ବୋଲି ସମ୍ବିଧାନ କହୁଛି । ଏଠି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଶାସନ ଚାଲିଛି । କିନ୍ତୁ କ’ଣ ପାଇଁ ବା କେଉଁ କାରଣରୁ ସରକାର ଏବଂ ସମାଜ ଏଭଳି ଅକ୍ଷମଣୀୟ ଅପରାଧ ପ୍ରତି ସଜାଗ ହୋଇପାରୁନାହିଁ ? ସରକାର ବା ଶାସନ ବ୍ୟବସ୍ଥା କ’ଣ ପାଇଁ ମୌଳବାଦୀ ସାଜି ଏଭଳି ଘଟଣାକୁ ଦେଖିଚାଲିଛି ? କେତେଦିନ ପର୍ଯ୍ୟନ୍ତ ଏ ଦେଶର ନାବାଳିକା, କିଶୋରୀ ଓ ମହିଳାମାନଙ୍କ ଇଜ୍ଜତ ଲୁଟ୍ ଚାଲିଥିବ ? କେତେଦିନ ପର୍ଯ୍ୟନ୍ତ ଏମାନେ ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରୁଥିବେ ? କେବେ ଆଉ ଦେଶକୁ ଓ ସମାଜକୁ ଏ ଦେଶର କନ୍ୟା ସନ୍ତାନ ଓ ମହିଳାମାନଙ୍କ ଦୁଃଖ ଦେଖାଯିବ ? ଏମିତି ପ୍ରଶ୍ନ ତ ଅନେକ କିନ୍ତୁ ଏ ସବୁ ପ୍ରଶ୍ନର ଉତ୍ତର ଦେବାକୁ କେହି ନାହାନ୍ତି । ଯେବେବି କୌଣସି ମହିଳା ଦୁଷ୍କର୍ମର ଶିକାର ହୁଅନ୍ତି ସେତେବେଳେ ତା’ର ସ୍ୱରକୁ ଚପାଇ ଦିଆଯିବାର ଉଦ୍ୟମ କରାଯାଇଥାଏ । କିନ୍ତୁ ଦୁଷ୍କର୍ମର ଶିକାର ହୋଇ ମହିଳାଙ୍କର ମୃତ୍ୟୁ ହେଲେ ଆରମ୍ଭ ହୋଇଯାଏ ରାଜନୈତିକ ଖେଳ । ସେତେବେଳେ ଆରମ୍ଭ ହୋଇଯାଏ ସମାଜରେ ଧର୍ମକୁ ନେଇ ରାଜନୀତି । ସମସ୍ତେ ନ୍ୟାୟ କଥା କୁହନ୍ତି, ଏହାର ଅର୍ଥ କ’ଣ ନ୍ୟାୟ ପାଇବା ପାଇଁ ମରିବା ଜରୁରୀ ? ଧନ୍ୟ ଏ ସମାଜ ।

ଆମ ସମାଜରେ ନ୍ୟାୟକୁ ମଧ୍ୟ ଧର୍ମ ଏବଂ ସଂସ୍କୃତିର ନିକିତିରେ ତଉଲ କରାଯାଇଇଥାଏ । ଅପରାଧ ଓ ଅପରାଧୀର ମହିମା ମଣ୍ଡନ ଜାତି ଆଧାରରେ କରାଯାଇଥାଏ । ରାଜନୀତିରେ ଅପରାଧକୁ ଧର୍ମ ଆଧାରରେ ଦେଖାଯାଇଥାଏ । ଏଣୁ ଏ ସବୁ କଥାରୁ ବଡ଼ ପ୍ରଶ୍ନ ଉଠେ ବଳାତ୍କାର ଭଳି ଦଣ୍ଡନୀୟ ଅପରାଧକୁ କ’ଣ ରାଜନୈତିକ ଦୃଷ୍ଟିରେ ଦେଖାଯିବା ଉଚିତ ? ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ଧର୍ମ ଓ ଜାତି ଆଧାରରେ ବାଣ୍ଟିଦେଲେ କ’ଣ ଅପରାଧର ପରିଭାଷା ବଦଳିଯିବ ନା ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ବ୍ୟଥା କମିଯିବ ? ସମାଜରେ ସେଇ ହିଁ ସମ୍ମାନ ଫେରିପାଇବ ଯିଏ ସମ୍ମାନ ପାଇବାର ହକ୍‌ଦାର । ଅପରାଧ କେବଳ ଅପରାଧ ଏବଂ ତାକୁ ଅପରାଧ ଦୃଷ୍ଟିରେ ଦେଖାଯିବା ଉଚିତ । କିନ୍ତୁ ଦୁଃଖର ବିଷୟ ଆମ ସମାଜରେ ଯଦି କେହି ତଥାକଥିତ ବିଶିଷ୍ଟ ବ୍ୟକ୍ତି ଅପରାଧ କରିଥାଏ ତେବେ ସମାଜ ତାଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରିଥାଏ । ପ୍ରଶାସନ ମଧ୍ୟ ତାଙ୍କୁ ଦୋଷମୁକ୍ତ କରିବାର ଉଦ୍ୟମରେ ଲାଗିପଡ଼େ । ପିତୃସତ୍ତାତ୍ମକ ସମାଜ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ନିୟମ କଥା କହିଥାଏ ଏବଂ ବିନା ଡେରିରେ ମହିଳାମାନଙ୍କ ଉପରେ ଦୋଷ ଲଦି ଦିଆଯାଇଥାଏ । ସଭ୍ୟ ସମାଜରେ କ’ଣ ଏପରି ଦୋହରା ବ୍ୟବହାର କରାଯିବା ଉଚିତ ? କ’ଣ ଏହା ହିଁ ଆମର ସନାତନୀ ପରମ୍ପରା ? ଆମ ସଂସ୍କୃତିରେ ନାରୀଙ୍କୁ ପୂଜନୀୟା ବୋଲି ଗ୍ରହଣ କରାଯାଏ । କିନ୍ତୁ ବର୍ତ୍ତମାନ ଦେଶରେ ଘଟୁଥିବା ଘଟଣା ସବୁକୁ ଦେଖିଲେ ଜଣାପଡ଼େ ଯେ ଆଜି ବି ମହିଳାମାନେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ।

ହାଥରସଠାରେ ଯେଭଳି ଭାବେ ଜନୈକା ୧୮ ବର୍ଷୀୟା କିଶୋରୀ ଦୁଷ୍କର୍ମକାରୀମାନଙ୍କର ଶିକାର ହେଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଲା ସେ ଘଟଣା ସଂପୂର୍ଣ୍ଣ ମାନବତାକୁ ଲଜ୍ଜିତ କରିଛି । ଏହି ଘଟଣାକୁ ଜାତି ଏବଂ ଧର୍ମର ରଙ୍ଗ ଦେବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି । ବଳାତ୍କାର ଭଳି ଘଟଣା କେବଳ ଗୋଟିଏ ରାଜ୍ୟରେ ଘଟୁଛି ତା’ ନୁହେଁ ଦେଶରେ ସବୁ କୋଣ ଅନୁକୋଣରେ ଏଭଳି ଘଟଣା ଘଟିଚାଲିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଆମ ଦେଶରେ ୨୦୧୮ରେ ପ୍ରାୟତଃ ପ୍ରତିଦିନ ୯୧ ମହିଳା ବଳାତ୍କାର ହୋଇଥିଲେ । ଏ ବାବଦରେ ଅଭିଯୋଗ ମଧ୍ୟ ହୋଇଥିଲା । ଏ ହେଉଛି ସରକାର ତଥ୍ୟ । ବେସରକାରୀ ତଥ୍ୟ ଅନୁସାରେ ଏହି ସଂଖ୍ୟାଠାରୁ ଢେର ଅଧିକ ଘଟଣା ଘଟିଛି । ଭାରତ ବର୍ଷ ଏବେ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଅନେକ ଆନ୍ତର୍ଜାତିକ ସଂସ୍ଥା କହିଲେଣି । ୨୦୧୨ରେ ନୂଆଦିଲ୍ଲୀରେ ଏକ ଚଳନ୍ତା ବସରେ ମହିଳାଙ୍କୁ ବଳାତ୍କାର କରାଯାଇଥିଲା । ସେହି ଘଟଣା ପରେ ସାରା ଦେଶର ଲୋକେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବା ଦାବିରେ ଲୋକେ ରାଜରାସ୍ତାକୁ ଆସିଥିଲେ। ସେହି ନିର୍ଭୟା କାଣ୍ଡ ପରେ ଯୌନହିଂସା ମାମଲାରେ କଠୋର ଦଣ୍ଡବିଧାନ ପାଇଁ କଡ଼ା ଆଇନ ଓ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନର ଦାବି ଉଠିଥିଲା । ସରକାର ଏ ନେଇ କଡ଼ା ଆଇନ ପ୍ରଣୟନ କରିଥିଲେ । କିନ୍ତୁ ଏ ସବୁ ପରେ ମଧ୍ୟ ଦେଶରେ ବଳାତ୍କାର, ଯୌନହିଂସା ଭଳି ଘଟଣା କମିବାର ନାଁ ଧରୁନାହିଁ ।
ରାମଚନ୍ଦ୍ରପୁର, ରଣପୁର,
ମୋ-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।