ସମ୍ବଲପୁର ହୋମିଓପାଥି ଭେଷଜ ମହାବିଦ୍ୟାଳୟ ରାଗିଙ୍ଗ ମାମଲାର ପରବର୍ତ୍ତୀ ଶୁଣାଣି ୨୬ରେ

ଭୁବନେଶ୍ୱର : ସମ୍ବଲପୁର ସରକାରୀ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ହୋଇଥିବା ରାଗିଙ୍ଗ ମାମଲାର ଆସନ୍ତା ୨୬ରେ ଓଡ଼ିଶା ମାନବାଧିକାର ଆୟୋଗରେ ଶୁଣାଣି ହେବ। ଏଥିପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ଚଳିତବର୍ଷ ମାର୍ଚ୍ଚ ୨୮ ତାରିଖ ରାତିରେ ବୁର୍ଲା ପରିସରରେ ଏକ ଛାତ୍ର ହଷ୍ଟେଲରେ କନିଷ୍ଠ ଛାତ୍ରମାନଙ୍କୁ ବରିଷ୍ଠ ଛାତ୍ରମାନେ ନିଶାସକ୍ତ ଭାବରେ ଅତ୍ୟନ୍ତ ଅମାନୁଷିକ ଭାବେ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେହିପରି ମାର୍ଚ୍ଚ ୩୧ସନ୍ଧ୍ୟାରେ ଓଡ଼ିଶା ମେଡ଼ିକାଲ କଲେଜ ଅଫ ହୋମିଓପାଥି ଏଣ୍ଡ ରିସର୍ଚ୍ଚ, ସମ୍ବଲପୁରର ଏକ ଛାତ୍ରୀ ହଷ୍ଟେଲରେ କିଛି ବରିଷ୍ଠ ଛାତ୍ରୀ ଓ ଜଣେ ବରିଷ୍ଠ ଛାତ୍ର, କିଛି କନିଷ୍ଠ ଛାତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ଉଲଗ୍ନ ହେବା ପାଇଁ ବାଧ୍ୟ କରିଥିଲେ। ଏଥସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ଏପ୍ରିଲ ୫ ତାରିଖ ଦିନ ଓଡ଼ିଶା ମାନବାଧିକାର ଆୟୋଗଙ୍କ ଅଭିଯୋଗ କରଯାଇଥିଲା। ଆୟୋଗର ମାନ୍ୟବର ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲ ଓ ମାନ୍ୟବର ସଦସ୍ୟ ଅସୀମ ଅମିତାଭ ଦାଶଙ୍କ ୨ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ଆବାହକ ତେଜେଶ୍ୱର ପରିଡ଼ା, ସହ-ଆବାହକ ନଳିନୀ କାନ୍ତ ନାୟକ, ସଦସ୍ୟ ଗୁରୁଦାସ ଗୌତମ ସ୍ୱାଇଁ, ପାର୍ଥସାରଥୀ ସାମନ୍ତରାୟ ଓ କୃପାସିନ୍ଧୁ ପ୍ରଧାନ ବ୍ୟକ୍ତିଗତ ଭାବେ ଓଏଚଆରସି କୋର୍ଟରେ ଉପସ୍ଥିତ ରହି ଓଏଚଆରସି ଡିଭିଜନ ବ୍ରାଞ୍ଚକୁ ସମସ୍ତ ବିଷୟ ଅବଗତ କରାଇବା ସହ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ୧୮ଟି କପି ପ୍ରଦାନ କରିଥିଲେ। ସେମାନେ ଦର୍ଶାଇଥିଲେ ବୁର୍ଲା ତଥା ସମ୍ବଲପୁରରେ ସରକାରୀ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ବାରମ୍ବାର ରାଗିଙ୍ଗ ଘଟଣା ଘଟୁଛି। କ୍ୟାମ୍ପସ ଓ ହଷ୍ଟେଲ ଗୁଡିକରେ ତମାଖୁ, ନିଶା ଓ ମାଦକ ଦ୍ରବ୍ୟର ବ୍ୟବହାର ବଢ଼ି ଚାଲିଛି। ଭୟରେ ଛାତ୍ରଛାତ୍ରୀମାନେ ମୁହଁ ଖୋଲୁ ନାହାନ୍ତି। ସମ୍ମାନ ଓ ପ୍ରତିଷ୍ଠା କ୍ଷୁର୍ଣ୍ଣ ଭୟରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଛନ୍ତି।

ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ସମସ୍ତ ଅଭିଯୋଗର ଏକାଠି ଶୁଣାଣି ପାଇଁ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ। ସେଥିପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି ହୋଇଛି।

Leave a Reply

Your email address will not be published. Required fields are marked *

Back to top button