ସଂଘର୍ଷରୁ ସଫଳତା : ରାତି ଜଗୁଆଳରୁ ଆଇଆଇଏମ୍‌ ଅଧ୍ୟାପକ

ଥିରୁବନନ୍ତପୁରମ୍‌ : ପରିଶ୍ରମ କେବେ ବୃଥା ଯାଏନି। ଏହାର ଫଳ ନିଶ୍ଚିତ ରହିଛି। ତେଣୁ କୁହାଯାଏ ଜୀବନ ସଂଘର୍ଷମୟ। ବଞ୍ଚିଥିବା ଯାଏ କିଛିନା କିଛି କରିବାକୁ ପଡିବ। କିନ୍ତୁ କେତକ ବିନା ପରିଶ୍ରମ ଓ ସଂଘର୍ଷରେ ଶୀର୍ଷରେ ପହଞ୍ଚିବା ଦେଖାଇଛି। ସେମାନେ ଭାଗ୍ୟବାନ। ସେହିପରି ନିଜର ଲକ୍ଷ୍ୟ ପୂରଣ ପାଇଁ ସଂଘର୍ଷ କରିଥିବା ବ୍ୟକ୍ତି ଜଣକ ହେଲେ ୨୮ ବର୍ଷୀୟ ରଞ୍ଜିତ ରାମଚନ୍ଦ୍ରନ୍‌।

ରଞ୍ଜିତ ଦିନରେ ପାଠ ପଢ଼ୁଥିଲେ। ରାତିରେ ଜଗୁଆଳ। କସାରଗୋଡାର ପାନାଥୁରାରେ ବିଏସ୍‌ଏନ୍‌ଏଲ୍‌ ଅଫିସରେ ସେ ଥିଲେ ରାତ୍ରି ଜାଗୁଆଳ। ଏବେ ରାଞ୍ଚି ଆଇଆଇଏମ୍‌ରେ ସହକାରୀ ଅଧ୍ୟାପକ। ଏହି ପର୍ଯ୍ୟନ୍ତ ପହଞ୍ଚିବାକୁ ତାଙ୍କୁ କିପରି ସଂଘର୍ଷ କରିବା ପାଇଁ ପଡିଛି ତା’ର ସଂପୂର୍ଣ୍ଣ କାହାଣୀ ଫେସ୍‌ବୁକ୍‌ ପୋଷ୍ଟରେ ସେ ଉଲେଖ କରିଛନ୍ତି। ରଞ୍ଜିତ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଏହି ଭଙ୍ଗା ଝୁମ୍ପୁଡି ଘରୁ ଜନ୍ମ ହୋଇଛି ଆଇଆଇଏମ୍‌ ଅଧ୍ୟାପକ। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରଞ୍ଜିତ ଦଶମ ପାସ୍‌ ପରେ ବହୁ କଷ୍ଟରେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଥିଲେ। ଦିନରେ ପାଠ ପଢ଼ିବା ସହ କସାରଗୋଡାର ପାନାଥୁରାରେ ବିଏସ୍‌ଏନ୍‌ଏଲ୍‌ ଅଫିସର ଥିଲେ ରାତ୍ରି ଜାଗୁଆଳ। ରହୁଥିଲେ ଭଙ୍ଗା ଛୁମ୍ପୁଡି ଘରେ। ଆର୍ଥିକ ଅସୁବିଧା ପାଇଁ ତାଙ୍କୁ ବାରମ୍ବାର ସ୍କୁଲ ଛାଡ଼ିବାକୁ ପଡିଥିଲା। ବାପା ଟେଲର ଓ ମା’ ମହାତ୍ମା ଗାନ୍ଧି ଗ୍ରାମୀଣ ଯୋଜନାରେ ଦିନ ମଜୁରିଆ। ବହୁ କଷ୍ଟରେ ସ୍ନାତକ ପାସ୍‌ କରିବା ପରେ ଆଇଆଇଟି ମାଡ୍ରାସ୍‌ରେ ତାଙ୍କୁ ସିଟ୍‌ ମିଳିଥିଲା। ପିଏଚଠି କରିବାକୁ ସେଠାରେ ପଂଜୀକରଣ କରିଥିଲେ। ଗତବର୍ଷ ପିଏଚ୍‌ଡି ସରିବା ପରେ ଦୁଇମାସ ହେବ ବେଙ୍ଗାଳୁରୁର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟରେ ସହକାରୀ ଅଧ୍ୟାପକ ଭାବେ କରିଛନ୍ତି।

ରଞ୍ଜିତ ତାଙ୍କ ଜୀବନ ସଂଘର୍ଷ କାହାଣୀ ଗତ ଏପ୍ରିଲ ୯ ତାରିଖରେ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ୩୭ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି। କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍‌ ରାମଚନ୍ଦ୍ରନ୍‌ଙ୍କୁ ଫେସ୍‌ବୁକ୍‌ରେ ଅଭିନନ୍ଦନ ଜଣାଇଛନ୍ତି। ଆଉ ଲେଖିଛନ୍ତି ସେ ସମସ୍ତଙ୍କ ପାଇଁ ପ୍ରେରଣା। ଅନ୍ୟପକ୍ଷରେ ରାମଚନ୍ଦ୍ରନ୍‌ କହିଛନ୍ତି ମୋର ଫେସ୍‌ବୁକ୍‌ ପୋଷ୍ଟଟି ଏତେ ଭାଇରାଲ ହେବ ବୋଲି ମୁଁ କେବେ ଭାବି ନଥିଲି। ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଁ ମୋ ଜୀବନର କାହାଣୀ ପୋଷ୍ଟ କରିଥିଲି। ମୁଁ ଚାହେଁ ସମସ୍ତେ ସ୍ୱପ୍ନ ଦେଖନ୍ତୁ ଓ ଏହାକୁ ପାଇବ ପାଇଁ ସଂଘର୍ଷ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button