ଶନିବାର ଛୁଟି : ଅଫିସ ଆସିବେ ୫୦ ପ୍ରତିଶତ କର୍ମଚାରୀ

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରକୋପ କମୁଛି। ସେଥିପାଇଁ ରାଜ୍ୟ ସରକାର କଟକ ଓ ଭୁବନେଶ୍ୱରରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନଭେମ୍ବର ମାସର ସମସ୍ତ ସରକାରୀ ଅଫିସ୍ ଶନିବାର ବନ୍ଦ ରହିବ ବୋଲି କୁହାଯାଇଛି।

ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନଭେମ୍ବର ମାସ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ଭୁବନେଶ୍ୱର ଓ କଟକରେ ଥିବା ବିଭାଗୀୟ ଦପ୍ତର ଓ ମୁଖ୍ୟ ଅଫିସରେ ପ୍ରଥମ ଶ୍ରେଣୀ ବର୍ଗର ଅଫିସରଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ଅଫିସ୍ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଫିସକୁ କେଉଁ କର୍ମଚାରୀ ଆସିବେ ତାହା ବିଭାଗୀୟ ମୁଖ୍ୟ ବା ସଚିବ ନିର୍ଦ୍ଧାରଣ କରିବେ। ତେବେ ଓସଡମା, ଏସଆରସି ଅଫିସ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ ସେବା ଆଦି ଯୋଗାଉଥିବା ଅଫିସ ଗୁଡ଼ିକରେ ଶତପ୍ରତିଶତ କର୍ମଚାରୀ ଆସିବେ ବୋଲି କୁହାଯାଇଛି।

କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ୨୦୨୦ ଜୁନ୍ ୮ ତାରିଖରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସେହିପରି ଯଦି ଅଫିସରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେଉଛି ତା’ହେଲେ ଜୁଲାଇ ୨୩ ତାରିଖରେ ଜାରି ପ୍ରୋଟୋକଲକୁ ପାଳନ କରିବାକୁ କୁହାଯାଇଛି। ଯେଉଁ କର୍ମଚାରୀ ଓ ଅଫିସରମାନଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି ସେମାନେ ନିଜର ରୋଷ୍ଟର ଡ୍ୟୁଟି ନଥିବାବେଳେ ଘରେ ରହି କାମ କରିବେ। ଜରୁରୀ ପଡ଼ିଲେ ସେମାନେ ସ୍ପଳ୍ପ ନୋଟିସ ଅବା ଟେଲିଫୋନ୍ ଖବର ପାଇଁ ଅଫିସ୍ ଆସିବାକୁ ବାଧ୍ୟ। ନିଜର ଅଧସ୍ତନ ଅଫିସ୍ ଓ କ୍ଷେତ୍ରୀୟ ଅଫିସଗୁଡ଼ିକ କିଭଳି ଚାଲିବ ତାହା ସେମାନଙ୍କର ପ୍ରଶାସନିକ ବିଭାଗ ସ୍ଥିର କରିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ମତାମତ ଦିଅନ୍ତୁ ।