ସରକାରୀ ଚାକିରୀରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ : ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଗୁଡିକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଲୋଭନୀୟ ଇସ୍ତାହାର ଘୋଷଣା କରୁଛନ୍ତି। ସେହି କ୍ରମରେ କଂଗ୍ରେସ ଆସାମର ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଏକ ବଡ ଘୋଷଣା କରିଛି। ଅଖିଳ ଭାରତୀୟ ମହିଳା କଂଗ୍ରେସର ପ୍ରମୁଖ ସୁଷ୍ମିତା ଦେବ କହିଛନ୍ତି ଆସାମରେ କଂଗ୍ରେସ ମେଣ୍ଟ ସରକାରକୁ ଆସିଲେ ରାଜ୍ୟର ମହିଳାମାନଙ୍କ ପାଇଁ ସରକାରୀ ଚାକିରୀରେ ୫୦ ପ୍ରତିଶତ ସଂରକ୍ଷଣ ମିଳିବ।

ସେହିପରି ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସାମବାସୀଙ୍କ ପାଇଁ ୫ଟି ବଡ ଘୋଷଣା କରିଥିଲେ। ଏ ମଧ୍ୟରେ ଆସାମର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୫ ଲକ୍ଷ ସରକାରୀ ଚାକିରୀର ଗ୍ୟାରେଣ୍ଟି ରହିଛି। ପ୍ରତ୍ୟେକ ଘରୋଇ ମହିଳାମାନଙ୍କ ପାଇଁ ପ୍ରତିମାସ ୨ ହଜାର ଟଙ୍କା ଭତ୍ତା, ସମସ୍ତଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ସଂଶୋଧିତ ନାଗରିକ ଆଇନକୁ ରଦ୍ଦ କରିବାକୁ ନୂଆ ଆଇନ ଓ ଚା’ ବଗିଚାରେ କାମ କରୁଥିବା ମଜୁରୀଆଙ୍କ ଦୈନିକ ମଜୁରୀ ୩୬୫ ଟଙ୍କାକୁ ବୃଦ୍ଧି କରାଯିବ ସେ ଘୋଷଣା କରିଥିଲେ।

ଆସାମ କଂଗ୍ରେସର ବିଧାୟକଦଳ ନେତା ଦେବଦତ୍ତ ସୌଫିଆ କହିଛନ୍ତି ବେରୋଜଗାର ଯୁବକ-ଯୁବତୀମାନଙ୍କ ପାଇଁ ଏକ ୱେବସାଇଟ ଖୋଲାଯାଇଛି। ସେମାନେ ଏଥିରେ ନାମ ପଞ୍ଜିକରଣ କରିପାରିବେ। କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ସେମାନଙ୍କୁ କିପରି ନିଯୁକ୍ତି ଦିଆଯିବ ତାହା ଉପରେ କାମ କରିବ।

କଂଗ୍ରେସ ଆସାମ ପାଇଁ ଏପରି ଘୋଷଣା କରିବାର କାରଣ ହେଲା ସେଠାରେ ମହିଳାମାନେ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ରାଜ୍ୟରେ ମୋଟ ଭୋଟର ୨.୩୧ କୋଟି ଥିବା ବେଳେ ମହିଳା ଭୋଟର ରହିଛନ୍ତି ୧.୧୪ କୋଟି। ତେଣୁ କଂଗ୍ରେସ ମହିଳା କାର୍ଡ ଖେଳୁଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *

Back to top button