ସଂରକ୍ଷଣକୁ ନେଇ ଅଟକିଛି ପୌର ନିର୍ବାଚନ : ବିରୋଧୀଙ୍କ ମତ ସରକାରୀ ଦଳକୁ ହାରିବାର ଭୟ ଘାରିଛି

ଭୁବନେଶ୍ଵର : ପୌର ନିର୍ବାଚନ ଘୁଞ୍ଚୁଛି। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରଖିବାକୁ ପ୍ରକ୍ରିୟା ଚାଲିଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ରାଜ୍ୟ ସରକାର ଚୂଡାନ୍ତ ରିପୋର୍ଟ ଦେବା ପରେ ରାଜ୍ୟ ନିର୍ବାଚନ କମିଶନ ଭୋଟର ଲିଷ୍ଟ ପ୍ରସ୍ତୁତ କରି ପୌର ନିର୍ବାଚନ କରିବେ ବୋଲି କହିଛନ୍ତି। କିନ୍ତୁ ଭିନ୍ନ ମତ ଦେଉଛନ୍ତି ବିରୋଧୀ। ସେମାନେ କହୁଛନ୍ତି ସହରାଞ୍ଚଳରେ ଶାସକ ଦଳର ସ୍ଥିତି ଦୁର୍ବଳ। ହାରିବାର ଭୟ ଥିବାରୁ ନିର୍ବାଚନକୁ ଜାଣି ଶୁଣି ଗଡାଇ ଚାଲିଛନ୍ତି।

ରାଜ୍ୟରେ ୧୧୬ଟି ପୌର ସଂସ୍ଥା। ହିନ୍ଦୋଳ ଓ ଅତାବିରା ଏନଏସିକୁ ଛାଡିଦେଲେ ବାକି ୧୧୪ଟି ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। ହେଲେ କିଛି ଲାଭ ହେଲାନାହିଁ। କୋର୍ଟ ନିର୍ଦ୍ଦେଶ ଦେଲେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖ। ଯାହା ଏବେ ଅଡୁଆ ହୋଇଛି। ଆଇନ ପରିବର୍ତ୍ତନ କରି ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ହୋଇନଥିବାରୁ ପୌର ନିର୍ବାଚନ ଅଟକି ଯାଇଛି।

ରାଜ୍ୟ ସରକାର ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ନେଇ ଆଇନ କରିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କଲାନି। କୋର୍ଟଙ୍କ ନିର୍ଦ୍ଦେଶ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବନି। କିନ୍ତୁ ସରକାର ଆଇନରେ ପରିବର୍ତ୍ତନ କରି ନାହାନ୍ତି। ବିଧାନସଭାରେ ଆଇନ ପାରିତ ହେଲା ପରେ ପୁଣି ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ବ୍ୟବସ୍ଥା ହେବ। ଏସବୁ ପରେ ୬ ମାସ ଭିତରେ କମିଶନ ଭୋଟର ଲିଷ୍ଟ ପ୍ରସ୍ତୁତ କରିବେ।

ଏହି ପ୍ରସଙ୍ଗରେ ବିଜେପି କହିଛି ନିର୍ବାଚିତ ପ୍ରତିନିଧି ନଥିବାରୁ ପୌରାଞ୍ଚଳରେ ଉନ୍ନୟନ କାମ ହୋଇ ପାରୁନି। ସହରାଞ୍ଚଳରେ ଶାସକ ଦଳର ସ୍ଥିତି ଦୁର୍ବଳ ଥିବାରୁ ସରକାର ଜାଣି ଶୁଣି ପୌର ଭୋଟକୁ ଟାଳି ଚାଲିଛନ୍ତି। ସେହିପରି କଂଗ୍ରେସ କହିଛି ସରକାର ଆଉ ବିଳମ୍ବ ନକରି ତୁରନ୍ତ ପୌର ନିର୍ବାଚନ କରନ୍ତୁ। ହେଲେ ବାସ୍ତବ କଥା ହେଲା ସରକାର ଯଦି ଚଳିତ ବିଧାନସଭା ଧିବେଶନ ସମୟରେ ପୌର ନିର୍ବାଚନ ସଂଶୋଧନ ବିଲ ପାରିତ କରନ୍ତି ତାହାଲେ ସମସ୍ତ ପ୍ରକ୍ରିୟା ସାରି ଭୋଟ କରିବାକୁ ୬ ମାସରୁ ଅଧିକ ସମୟ ଲାଗିବ।

Leave a Reply

Your email address will not be published. Required fields are marked *

Back to top button