ଶତ୍ରୁର କ୍ଷେପଣାସ୍ତ୍ର ଆକ୍ରମଣରୁ ନୌସେନା ଯୁଦ୍ଧ ଜାହାଜକୁ ସୁରକ୍ଷା ଦେବ ଡିଆରଡିଓର ଟେକ୍ନୋଲୋଜି

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଏକ ଅତ୍ୟାଧୁନିକ ସାଫ୍ ଟେକ୍ନୋଲୋଜିର ବିକାଶ କରିଛି। ଏହାକୁ ବ୍ୟବହାର କରି ଭାରତୀୟ ନୌସେନା ଯୁଦ୍ଧ ଜାହାଜଗୁଡ଼ିକୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରିପାରିବ।

ଖବର ଅନୁଯାୟୀ ଡିଆରଡିଓର ଯୋଧପୁର ଲାବରେଟୋରି ପକ୍ଷରୁ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଇ ତିନି ପ୍ରକାର ରକେଟ ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକ ହେଲା ସ୍ଵଳ୍ପ, ମଧ୍ୟମ ଓ ଦୂରଗାମୀ ସାଫ ରକେଟ୍। ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ରକେଟ୍ ଗୁଡିକ ଭାରତୀୟ ନୌସେନାର ଆବଶ୍ୟକତା ପୂରଣ କରିପାରିବ ବୋଲି ଡିଆରଡିଓ ଦାବି କରିଛି। ନିକଟରେ ନୌସେନା ପକ୍ଷରୁ ଏସବୁ ରକେଟର ବ୍ୟାବହାରିକ ପରୀକ୍ଷଣ ଆରବ ସାଗରରେ କେତେକ ଯୁଦ୍ଧ ଜାହାଜରୁ କରାଯାଇଥିଲା। ପରୀକ୍ଷଣ ସନ୍ତୋଷଜନକ ଥିବା ଡିଆରଡିଓ କହିଛି।

ବିଶ୍ଵର ପ୍ରମୁଖ ନୌସେନାଗୁଡ଼ିକ ଏହି ଟେକ୍ନୋଲୋଜି ବ୍ୟବହାର କରି ନିଜ ଜାହାଜର ସୁରକ୍ଷା କରିଥାନ୍ତି। ଏହି ଟେକ୍ନୋଲୋଜି ଏତେ ପ୍ରଭାବୀ ଯେ ଅଳ୍ପ ପରିମାଣରେ ସାଫ୍ ପଦାର୍ଥ ବାୟୁମଣ୍ଡଳରେ ଥିଲେ ତାହା ଶତ୍ରୁର ମିସାଇଲକୁ ବାଟବଣା କରି ନଷ୍ଟ କରିଦିଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button