ଟିକ୍‌ଟକ୍ ପାଇଁ ମାମଲା ଲଢ଼ିବାକୁ ମନାକଲେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ସୀମାରେ ଚୀନର ବିଶ୍ୱାସଘାତକତା ବିରୋଧରେ ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ସରକାର ୫୯ ଚୀନ ଆପକୁ ବ୍ୟାନ୍ କରିଛନ୍ତି । ଚୀନ ଆପ ବିରୋଧରେ ସରକାରଙ୍କ ଏହି ଡିଜିଟାଲା ଷ୍ଟ୍ରାଇକ୍ ପରେ ବ୍ୟାନ ହୋଇଥିବା କମ୍ପାନୀଗୁଡ଼ିକ ବିଚଳିତ ହୋଇପଡ଼ିଛନ୍ତି । ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପାଇଁ ଟିକ୍‌ଟକ୍ ଯୋଜନା କରିଥିଲା । ଏଥିପାଇଁ ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ମୁକୁଲ ରୋହତଗୀଙ୍କୁ ଯୋଗାଯୋଗ କରଯାଇଥିଲା । ମାତ୍ର ରୋହତଗୀ ସୁପ୍ରିମକୋର୍ଟରେ ଟିକ୍‌ଟକ୍ ପକ୍ଷରୁ ମାମଲା ଲଢ଼ିବାକୁ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଟିକ୍‌ଟକ୍ ପକ୍ଷରୁ ଭାରତ ସରକାରଙ୍କ ବିରୋଧରେ ଦଲିଲ ଦେବେନାହିଁ ବୋଲି ସିଧାସିଧା କହିଦେଇଛନ୍ତି ।
ସୂଚନା ଥାଉକି ଦେଶରେ ଟିକ୍‌ଟକ୍‌ର ଲୋକପ୍ରିୟ ହୋଇଥିବାବେଳେ ଏହାର ୨୦କୋଟିରୁ ଊର୍ଦ୍ଧ୍ୱ ଉପଭୋକ୍ତା ରହିଥିଲେ । ମାତ୍ର ଭାରତ ସରକାର ଏହି ଆପ୍ ଦ୍ୱରା ଡାଟା ଚୋରି ହେଉଥିବା ଓ ଦେଶର ସୁରକ୍ଷା ବିପର୍ଯ୍ୟସ୍ତ ହେଉଥିବା ଦର୍ଶାଇ ପ୍ରତିବନ୍ଧ ଲଗାଇଛନ୍ତି । ଫଳରେ ଚଳିତ ବର୍ଷ ୧୦୦କୋଟିରୁ ଊର୍ଦ୍ଧ୍ୱ ଆୟ କରିବାକୁ ଲକ୍ଷ୍ୟ ରଖିଥିବା ଟିକ୍‌ଟକ୍‌ର ସ୍ୱପ୍ନ ଧୁଳିସାତ୍ ହୋଇଯାଇଛି ।

ମତାମତ ଦିଅନ୍ତୁ ।