ସୋପିଆଁ ଏନ୍‌କାଉଁଟର୍‌: ୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆଁରେ ଶନିବାର ସକାଳୁ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଁଟର୍ ହୋଇଛି । ଏଥିରେ ସୁରକ୍ଷାବଳର ଯବାନମାନେ ୩ଜଣ ଆତଙ୍କବାଦୀଙ୍କୁ ମାରିଛନ୍ତି । କଶ୍ମୀରରେ ଗତ ୨୪ ଘଂଟା ମଧ୍ୟରେ ଏହା ଦ୍ୱିତୀୟ ଏନ୍‌କାଉଁଟର୍ ହୋଇଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ୬ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଲାଣି । ଜଣେ ଅଧିକାରୀଙ୍କ ସୂଚନା ମୁତାବକ ସୁରକ୍ଷାବଳଙ୍କୁ ସେଠାରେ ଆତଙ୍କାବାଦୀମାନେ ଲୁଚି ରହିଥିବା କଥା ଜଣାପଡ଼ିବା ପରେ ପୁଲିସ, ସେନା ଓ ସିଆରପିଏଫ୍‌ର ସଂଯୁକ୍ତ ଟିମ୍ ଅଂଚଳକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାତ୍ର ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ । ପରେ ସୁରକ୍ଷାବଳଙ୍କ ଜବାବୀ ଗୁଳିଚାଳନାରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏହା ପୂର୍ବରୁ ଶୁୁକ୍ରବାର କୁଲଗାମରେ ସୁରକ୍ଷାବଳ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୩ଜଣ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ । ଚଳିତ ବର୍ଷ ବର୍ତମାନ ପର୍ଯ୍ୟନ୍ତ ସେନାର ଯବାନମାନେ ୧୩୬ଜଣ ଆତଙ୍କବାଦୀଙ୍କୁ ଗୁଳି କରି ମାରିସାରିଲେଣି ।

ମତାମତ ଦିଅନ୍ତୁ ।