ସୀମାରେ ଚୀନ୍‌ ମୁତୟନ କରିବ ଅଧିକ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଲଦାଖ ନିକଟରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଉଭୟ ଦେଶ ପକ୍ଷରୁ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରାଯାଇଛି। ଏଭଳି ସ୍ଥିତିରେ ଭାରତ ସୀମାରେ ଚୀନ୍‌ ବାୟୁସେନାର ଶକ୍ତି ବୃଦ୍ଧି କରିଚାଲିଛି। ଆହୁରି ଅଧିକ ସଂଖ୍ୟକ ଯୁଦ୍ଧବିମାନ ମୁତୟନ କରିବ ବୋଲି ଚୀନ୍‌ର ସରକାରୀ ମୁଖପତ୍ର ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। କୁହାଯାଇଛି ଚୀନ୍‌ର ସେନା ପିପୁଲ୍ସ ଲିବରେସନ ଆର୍ମିର ପଶ୍ଚିମ ଥିଏଟର କମାଣ୍ଡ ଅଧୀନରେ ଅଧିକ ସଂଖ୍ୟକ ଜେ-୧୬ ଯୁଦ୍ଧବିମାନ ମୁତୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ସମାପ୍ତ ହେବ।

କେତେ ସଂଖ୍ୟକ ଜେ-୧୬ ଯୁଦ୍ଧବିମାନ ମୁତୟନ କରାଯାଉଛି ତାହା ଗ୍ଲୋବାଲ ଟାଇମ୍ସ ସ୍ପଷ୍ଟ କରିନାହିଁ। ନିକଟରେ ଥିଏଟର କମାଣ୍ଡ ଅଧୀନରେ ଥିବା ବାୟୁସେନା ଏକ ଯୁଦ୍ଧାଭ୍ୟାସ କରିଛି। ଏଥିରେ ଆକାଶମାର୍ଗରେ ଶତ୍ରୁ ରାଷ୍ଟ୍ରର ଯୁଦ୍ଧବିମାନକୁ ନଷ୍ଟ କରିବା ପାଇଁ କରାଯାଇଥିଲା ଅଭ୍ୟାସ। ଚୀନ୍‌ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଭାରତ ସଂଲଗ୍ନ ସୀମାର ସୁରକ୍ଷା ଦାୟିତ୍ୱରେ ଥିବାରୁ ଭାରତକୁ ଟାର୍ଗେଟ କରି ଚୀନ ଏଭଳି ପଦକ୍ଷେପ ନେଉଥିବା ମନେ ହେଉଛି।

ମତାମତ ଦିଅନ୍ତୁ ।