ଶିମିଳିପାଳ ନିଆଁ ପାଇଁ ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଉଦାସୀନତାକୁ ଦାୟୀକଲା ଭଞ୍ଜସେନା

ବାରିପଦା : ଶିମିଳିପାଳରେ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଓ ଜିଲ୍ଲାର ରାଜନେତାଙ୍କ ଉଦାସୀନତାକୁ ଦାୟୀ କରିଛି। ଏସ୍‌ଟିଆର ଉପନିର୍ଦ୍ଦେଶକ ଓ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଯଦି ୭୨ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ରାଜରାସ୍ତାରେ ମୁହାମୁହଁ ହେବ ବୋଲି ଚେତାବନୀ ଦେଇଛନ୍ତି ସଂଗଠନର ଜିଲ୍ଲା ସଭାପତି ପିଣ୍ଟୁ ମାଇତି।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଜିଲ୍ଲାର ଉଭୟ ଶାସକ ଓ ବ‌ିରୋଧୀଦଳ ନେତାଙ୍କ ନୀରବତାକୁ ସଂଗଠନ ଟାର୍ଗେଟ କରିଛି। ଭଞ୍ଜସେନାର ପ୍ରତିଷ୍ଠାତା ତଥା ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ସଭାପତି କଳିଙ୍ଗ କେଶରୀ ଜେନା ଅଭିଯୋଗ କହିଛନ୍ତି ବିଶ୍ୱବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟ ପ୍ରାୟ ୧୦ ଦିନ ଧରି ଜଳୁଛି। ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ପ୍ରାୟତଃ ବିଫଳ ହୋଇଛି। କେବଳ କଥାରେ ନିଆଁ ଆୟତ୍ତ ହୋଇଥିବା କୁହାଯାଉଛି ବୋଲି ସେ କହିଛନ୍ତି।

ସେହିପରି ସଂଗଠନ ପକ୍ଷରୁ କୁହାଯାଇଛି ପ୍ରତିବର୍ଷ ଫେବ୍ରୁଆରି ଶେଷ ଭାଗ ଓ ମାର୍ଚ୍ଚ ପ୍ରଥମ ଭାଗରୁ ପ୍ରାୟତଃ ଶିମିଳିପାଳ ଅଭୟାରଣ୍ୟରେ ମନୁଷ୍ୟକୃତ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ନିଆଁ ଲାଗିଥାଏ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ଫାୟାର ଲାଇନ ସୃଷ୍ଟି ସହିତ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥାଏ। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଦିନ ଦିନ ଧରି ଜଙ୍ଗଲ ଜଳୁଥିଲେ ମଧ୍ୟ ବନବିଭାଗ ନୀରବଦ୍ରଷ୍ଟା ସାଜିଛି। ଏହି କାରଣରୁ ଶିମିଳିପାଳରେ ହାତୀ, ବାଘ ଓ ଅନ୍ୟ ପ୍ରାଣୀଙ୍କ ସହିତ ମୂଲ୍ୟବାନ ବୃକ୍ଷରାଜି ଧ୍ବଂସାଭିମୁଖୀ ହେଉଥିବା ପରିବେଶବିତ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଭୟଙ୍କର ବନାଗ୍ନି ଆଗାମୀ ଦିନରେ ଜୈବବିବିଧତାକୁ ନଷ୍ଟ କରିଦେବାର ସମ୍ଭାବନା ଥିବାରୁ ପ୍ରାକୃତିକ ସନ୍ତୁଳନ ବିଗିଡି ଯାଇପାରେ। ଯାହାର ପରିଣାମ ଭୟଙ୍କର ହେବ।

Leave a Reply

Your email address will not be published. Required fields are marked *

Back to top button