ଶୀତଋତୁରେ ପାକ୍ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ କରିପାରେ : ସ୍ଥଳସେନା ମୁଖ୍ୟ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଥିବା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ଏଥିରେ ସଫଳ ହେଉନାହିଁ। ଆଗକୁ ଶିତଦିନ ଆସୁଥିବାରୁ ପାକିସ୍ତାନ ପଟୁ ପୁଣି ଏଭଳି ପ୍ରୟାସ କରାଯାଇପାରେ। ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବା ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ଏହି ଆଶଙ୍କା କରିଛନ୍ତି।

ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରେଧୀ ଅଭିଯାନ ସମ୍ପର୍କରେ ନରୱାଣେ କହିଛନ୍ତି ସୀମାରେ ସୁରକ୍ଷାବଳ ଦ୍ଵାରା କାବୁ କରାଯାଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ଓ ଅନୁପ୍ରବେଶରୁ ସ୍ପଷ୍ଟ ହୋଇଛି ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବାକୁ ଚେଷ୍ଟା କରୁଛି। କିନ୍ତୁ ଆମର ଆତଙ୍କବାଦ ବିରୋଧୀ ଗ୍ରୀଡ୍‌ ଅତ୍ୟନ୍ତ ପ୍ରଭାବଶାଳୀ। ୨୪ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ମଧ୍ୟରେ ୧୭ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପାକିସ୍ତାନ ନାଗରିକଙ୍କ ସମେତ ବିଦେଶୀ ଆତଙ୍କବାଦୀ।

ସେ କହିଛନ୍ତି ୧୪ ଅକ୍ଟୋବରରେ ଉତ୍ତର କାଶ୍ମୀର କୁପୱାଡା ଜିଲ୍ଳାରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ହମଲାକୁ ସେନା ବିଫଳ କରିଥିଲା। ପାକିସ୍ତାନର ବର୍ଡର ଆକ୍ସନ୍‌ ଟିମ୍‌ (ବ୍ୟାଟ୍‌) ହମଲା ଆଳରେ ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ଉଦ୍ୟମ କରିଥିଲା। ଏହି ଘଟଣା ପରେ ଏଲଓସିରେ ସୁରକ୍ଷା କଡ଼ାକଡ଼ି କରିଦିଆଇଛି। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ଯୋଗାଉଥିବା ପ୍ରସଙ୍ଗ ଚଳିତ ମାସ ଶେଷ ସୁଦ୍ଧା ଏଫଏଟିଏଫ ଦ୍ଵାରା ହେବାକୁ ଯାଉଥିବା ବୈଠକରେ ଉଠିବ। ତେବେ ବର୍ତ୍ତମାନ ପରିସ୍ଥିତରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ନରୱାଣେ କହିଛନ୍ତି।

ମତାମତ ଦିଅନ୍ତୁ ।