Wed. Feb 26th, 2020

ଓଡ଼ିଶା ବିଜେପିର କିଏ ହେବ ମାଙ୍ଗୁଆଳ ?

ଭୁବନେଶ୍ୱର (ଯଦୁନାଥ ଓଝା) : ରାଜ୍ୟ ବିଜେପିରେ କିଏ ହେବେ ନୂଆ ମଙ୍ଗୁଆଳ। ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ପରେ କାହାକୁ ମିଳିବ ଦାୟିତ୍ଵ। ଏନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଉପକୂଳ ନେତା ସମୀର ମହାନ୍ତି ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ପଶ୍ଚିମ ଓଡ଼ିଶାର ବରିଷ୍ଠ କେ.ଭି ସିଂ ଦେଓ ଏବଂ ବରିଷ୍ଠ ମହିଳା ନେତ୍ରୀଙ୍କ ନାମ ଉଠୁଛି। କିନ୍ତୁ କୁହାଯାଉଛି ପ୍ରଭାବଶାଳୀ ଯୁବ ନେତାଙ୍କ ସମର୍ଥକ ଏହି ଚଉକିରେ ବସିବେ।

ଓଡିଶାରେ ବିଜେପିର ବୁଥ୍ ସ୍ତରରୁ ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇ ଏବେ ମଣ୍ଡଳ ସଭାପତି ନିର୍ବାଚନ ଚାଲିଛି। ୧୦୦୪ ମଣ୍ଡଳରୁ ପ୍ରାୟ ୮ ଶହ ମଣ୍ଡଳରେ ନିର୍ବାଚନ ସରିଲାଣି। ଆସନ୍ତା ସପ୍ତାହରେ ଜିଲ୍ଲାସଭାପତି ନିର୍ବାଚନ ହେବ। ଏହାପରେ ରାଜ୍ୟ ସଭାପତି ଚୟନ। ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡିଙ୍କୁ ଦାୟିତ୍ୱ ମିଳିଛି। ଏମାନଙ୍କ ଉପସ୍ଥିତିରେ ସଭାପତି ଚୟନ ପାଇଁ ସହମତି ହେବ।

ବର୍ତ୍ତମାନ କାହାକୁ ମିଳିବ ରାଜ୍ୟ ସଭାପତି ଦାୟିତ୍ଵ। ଦଳରେ ଅସନ୍ତୋଷ ରହିଛି। ରାଜ୍ୟରେ ଉପରକୁ ଗୋଟିଏ ଦେଖାଯାଉଥିବା ବିଜେପି ସଂଗଠନ ଭିତରେ ବହୁ ଭାଗରେ ବିଭକ୍ତ। ସମସ୍ତଙ୍କୁ ନେଇ ଚଳି ପାରୁଥିବା ନେତା ଚୟନ ନହେଲେ ଆଗାମୀ ପୌର ନିର୍ବାଚନରେ ବିଜେପି କ୍ଷତି ସହିବ ବୋଲି କେତେକ ମତ ଦେଉଛନ୍ତି। ରାଜନୈତିକ ବିଶାରଦଙ୍କ ମତ ହେଲା ୨୦୧୯ ସାଧାରଣ ନିର୍ବାଚନରେ ଗୋଟିଏ ଗୋଷ୍ଠୀର ଏକ ତରଫା ନିଷ୍ପତ୍ତି ପାଇଁ ଦଳ କ୍ଷତି ସହିଛି। ଏକଥା ନେତାମାନେ ସିଧାସଳଖ କହୁନଥିଲେ ହେଁ ବାହାରେ ଆଲୋଚନା କରୁଛନ୍ତି। କେବଳ ସେତିକି ନୁହେଁ ଦଳ ରାଜ୍ୟର ଲୋକଙ୍କ ସମସ୍ୟାକୁ ନେଇ ଠୋସ ପଦକ୍ଷେପ ନେଇପାରୁନି। ଯେଉଁ ପ୍ରସଙ୍ଗ ଉଠାଉଛି ତାହା ଲୋକ ଦେଖାଣିଆ ସାବ୍ୟସ୍ତ ହେଉଛି। କାରଣ ଗଣମାଧ୍ୟମ ବିବୃତ୍ତିରେ ବିଜେପି ତୁଲାଉଛି ମୁଖ୍ୟ ବିରୋଧିଦଳର ଭୂମିକା। ରାଜ୍ୟ ସରକାରଙ୍କ ବିରୋଧରେ ସ୍ଵର ଶାଣିତ କରିବାର ଦମ୍ଭ ରଖୁନି। ବିଜୁ ଜନତା ଦଳକୁ ପ୍ରଧାନମନ୍ତ୍ରୀ ଶୃଙ୍ଖଳିତ ଦଳ କହିଥିବା ବେଳେ ସେହି ଦଳ ବିରୋଧରେ କହି ବିଜେପି ସମାଲୋଚନାର ସରବ୍ୟ ହେଉଥିବା ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଦଳ କେଉଁ ନେତାଙ୍କୁ ସଭାପତି ପାଇଁ ବାଛିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଚର୍ଚ୍ଚା ଅନୁଯାୟୀ ଏଥର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ପାଳି ପଡିପାରେ। ସେ ଗତ ନିର୍ବାଚନରେ ପ୍ରାର୍ଥୀ ନହୋଇ ମଧ୍ୟ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ସାଧାରଣ ସଂପାଦକ ପୃଥ୍ୱୀରାଜ ଚିଲିକା ଆସନରୁ ହାରିଥିଲେ ହେଁ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ବରିଷ୍ଠ ମହିଳା ନେତ୍ରୀଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି। ଆଉ କେତେଜଣ ବରିଷ୍ଠ ବି ରହିଛନ୍ତି ଚର୍ଚ୍ଚାରେ। ତେବେ କାହାକୁ ଦାୟିତ୍ଵ ମିଳିବ ସ୍ପଷ୍ଟ ଜଣାପଡିନି। ଯାହା ଅନୁମାନ କରାଯାଉଛି ସମୀର ମହାନ୍ତି ନାମ ଆଗରେ ରହିବ। କାରଣ ପ୍ରଭାବଶାଳୀଙ୍କ ସମର୍ଥନ ତାଙ୍କ ପଛରେ ରହିଛି। ଯଦି ପ୍ରଭାବଶାଳୀଙ୍କ ଇଙ୍ଗିତରେ ସଭାପତି ଚୟନ ହୁଏ ତେବେ ସବୁକିଛି ଦଳୀୟ ପ୍ରକ୍ରିୟା ନାମକୁ ମାତ୍ର ହେବ ବୋଲି କୁହାଯାଉଛି।

ଅନ୍ୟ କେତେକଙ୍କ ମତ ୨୦୦୪ ପରଠାରୁ ପଶ୍ଚିମ ଓଡ଼ିଶାର ନେତାଙ୍କ ହାତରେ ରାଜ୍ୟ ବିଜେପିର ମଙ୍ଗୁଆଳ ଦାୟିତ୍ଵ ରହିଥିଲା। ଏଥର ଉପକୂଳ ନେତାଙ୍କ ହାତକୁ ଆସିପାରେ। କିନ୍ତୁ ଏହା ହେବ ବୋଲି କୁହାଯାଇ ପାରୁନି। ପଶ୍ଚିମ ଓଡ଼ିଶାର ୩୫ ଆସନରୁ ବିଜେପି ୨୦୧୯ ନିର୍ବାଚନରେ ୮ ଆସନ ଦାଖଲ କରିଥିବା ବେଳେ ଉପକୂଳରେ ଦଳର ଭୋଟ୍‌ ପ୍ରତିଶତ ବଢିଛି। ୫ଜଣ ବିଧାୟକ ବିଧାନସଭାକୁ ଆସିଛନ୍ତି। ଯଦି ଉପକୂଳରେ ସଂଗଠନକୁ ଅଧିକ ମଜଭୁତ୍ କରିବାକୁ ଦଳ ଲକ୍ଷ୍ୟ ରଖେ ତାହେଲେ ଏହି ଅଞ୍ଚଳର ନେତାଙ୍କୁ ମଙ୍ଗୁଆଳ କରିବାର ସମ୍ଭାବନା ରହିବ। ନଚେତ ପ୍ରଭାବଶାଳୀଙ୍କ ସମର୍ଥକ ହିଁ ସଭାପତି ଚଉକିରେ ବସିବେ ଏଥିରେ ଦ୍ଵିମତ ନାହିଁ।

Leave a Reply

Your email address will not be published. Required fields are marked *