ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନୁହେଁ ‘ସମାନ ନୀତି’ ଅନୁସାରେ ବନ୍ଦୋବସ୍ତ କରାଯାଉଛି : ବିକ୍ରିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଓଡ଼ିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମିକୁ ବିକ୍ରି ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ଖବର ପ୍ରକାଶ ପାଇଥିଲା। ଭକ୍ତମାନେ ଏହାକୁ ବିରୋଧ କରି ସମାଲୋଚନା କରିବାରୁ ଆଜି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇଛି।

ଗୁରୁବାର ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି ଶ୍ରୀଜଗନ୍ନାଥଙ୍କ ୩୫ହଜାର ଏକର ଜମି ବିକ୍ରି ହେବା ଖବର ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରାଯାଉଛି। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ। ବହୁ ଦିନରୁ ବିଭିନ୍ନ ବ୍ୟକ୍ତିଙ୍କ ଦଖଲରେ ଥିବା ଏହି ଜମିଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର। ଏବେ “ୟୁନିଫାଏଡ୍ ପଲିସି” ବା ସମାନ ନୀତି ଅନୁଯାୟୀ ମନ୍ଦିର କମିଟି ଦ୍ଵାରା ଜବରଦଖଲ ହୋଇଥିବା ଜମି ଗୁଡ଼ିକର ବନ୍ଦୋବସ୍ତ କରାଯାଉଛି।

ସେ କହିଛନ୍ତି ୨୦୦୧ରୁ ୨୦୧୦ପର୍ଯ୍ୟନ୍ତ ୨୯୧ଏକର ଜମିର ବନ୍ଦୋବସ୍ତ କରାଯାଇଥିଲା। ୨୦୧୧ରୁ ୨୦୨୧ପର୍ଯ୍ୟନ୍ତ ୯୬ଏକର ଜମିର ବନ୍ଦୋବସ୍ତ ହୋଇଛି। ବିଦ୍ୟାଳୟ, ମେଡିକାଲ କଲେଜ, ସଡ଼କ ଇତ୍ୟାଦି ନିର୍ମାଣ କରି ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ପାଇଁ ଏଗୁଡିକ ବନ୍ଦୋବସ୍ତ କରାଯାଇଛି। ସରକାରୀ ତଥା ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହିପରି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ସମ୍ବନ୍ଧୀୟ ନିଷ୍ପତ୍ତି ଜଗନ୍ନାଥ ମନ୍ଦିର କମିଟି ଦ୍ଵାରା ନିଆଯାଇଛି। ତେଣୁ ବିକ୍ରି ଖବର ଉପରେ ବିଶ୍ଵାସ ନକରିବାକୁ ଅନୁରୋଧ କରୁଛୁ।

Leave a Reply

Your email address will not be published. Required fields are marked *

Back to top button