April 3, 2020

ଡାକ୍ତରଖାନକୁ ଔଷଧ: ଯୋଗାଣକାରୀଙ୍କୁ ମିଳିବ ପ୍ରୋତ୍ସାହନ, ୨୪ ଘଣ୍ଟାରେ ସଂପୂର୍ଣ୍ଣ ଟଙ୍କା

ଭୁବନେଶ୍ଵର : ରାଜ୍ୟର ସବୁ ଡାକ୍ତରଖାନକୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ତୁରନ୍ତ ଯୋଗାଇବା ନେଇ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଔଷଧ ନିଗମ ପକ୍ଷରୁ ବିଭିନ୍ନ ହସ୍ପିଟାଲ ପାଇଁ କିଣାଯାଉଥିବା ଔଷଧକୁ ଯଦି ଯୋଗାଣକାରୀ ବ୍ୟାବସାୟିକ ସଂସ୍ଥା ସମୟ ପୂର୍ବରୁ ଦିଅନ୍ତି ତେବେ ତାଙ୍କୁ ଇନସେନଟିଭ୍ ବା ପ୍ରୋତ୍ସାହନ ରାଶି ପ୍ରଦାନ ଦିଆଯିବ ବୋଲି ଘୋଷଣା ହୋଇଛି।

କରୋନା ମୁକାବିଲା ପାଇଁ ବିଭିନ୍ନ ମେଡିକାଲରେ ଔଷଧ ମହଜୁଦ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଡାକ୍ତରମାନେ ମେଡିକାଲରେ ଅହରହ ସେବା ଯୋଗାଇ ଆସୁଥିବା ବେଳେ ଔଷଧ ଯୋଗାଣ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ପାଇଁ ବିତରକମାନଙ୍କୁ ଆର୍ଥିକ ପ୍ରେ‌ାତ୍ସ‌ାହନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଓଡିଶା ରାଜ୍ୟ ଔଷଧ ସେବା ନିଗମକୁ ଯେଉଁମାନେ ଔଷଧ ଯୋଗାଣ କରୁଛନ୍ତି ସେମାନେ ଯଦି ଶୀଘ୍ର ଓ ସୁଚାରରୂପେ ଯୋଗାଣ କରନ୍ତି ତେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୫୦ ପ୍ରତିଶତ ଅଧିକ ଅର୍ଥ ଦିଆଯିବ। ୭ ଦିନ ଆଗରୁ ଔଷଧ ଯୋଗାଇଲେ ମିଳିବ ୫୦ ପ୍ରତିଶତ ଅଧିକ ଅର୍ଥ। ସେହିପରି ୧୫ ଦିନ ପାଇଁ ୨୫ ପ୍ରତିଶତ ଓ ୩୦ ଦିନ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ। ଔଷଧ ପାଇଁ ପରିବହନ ଖର୍ଚ୍ଚ ସରକାର ଦେବେ। ଯେଉଁ ଜିନିଷ ସେମାନେ ଯୋଗାଇଥିବେ ତାର ସମସ୍ତ ଟଙ୍କା ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ମୁକାବିଲା ପାଇଁ ଆଜି ୩୦ଟି ଜିଲ୍ଲାକୁ ସରକାର ସାଢେ ୪୪.୫୦ କୋଟି ଟଙ୍କା ପଠାଯାଇଛି। ପରିସ୍ଥିତିର ପ୍ରତିରୋଧ ବ୍ୟବସ୍ଥା କରିବାକୁ ଏ ସବୁ ଟଙ୍କା ମୁଖ୍ୟମନ୍ତ୍ରୀ ପଠାଇଛନ୍ତି।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ଟି ଜିଲ୍ଲା ପାଇଁ ୪୪.୫୦କୋଟି ଟଙ୍କା ପ୍ରତ୍ୟେକ ଜିଲ୍ଲା ରେଡକ୍ରସ୍ ପାଣ୍ଠିକୁ ପଠାଯାଇଛି। ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ୩କୋଟି ଲେଖାଏଁ ଦିଆଯାଇଥିବା ବେଳେ ବାଲେଶ୍ୱର, ବରଗଡ଼, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ୨କୋଟି ଟଙ୍କା ଲେଖାଏଁ ଓ ଅନ୍ୟ ଜିଲ୍ଲାଗୁଡ଼ିକୁ ୧କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଦେବଗଡ଼ ଜିଲ୍ଲାକୁ ୫୦ଲକ୍ଷ ଟଙ୍କା ଦିଆଯାଇଛି।

Leave a Reply

Your email address will not be published. Required fields are marked *