April 3, 2020

ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ସଚିବ

ଭୁବନେଶ୍ୱର : କରୋନା ଭାଇରସ ବା କୋଭିଡ-୧୯ ପାଇଁ ଲକଡାଉନ ସମୟରେ ସହରାଞ୍ଚଳରେ ଗ୍ରୋସରୀ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ କିପରି ସହଜରେ ଉପଲବ୍ଧ ହେବ ଓ କିଣିବା ବେଳେ ସାମାଜିକ ଦୂରତ୍ଵ ବଜାୟ ରହିବ ସେଥିପାଇଁ ନୂଆ ଗାଇଡଲାଇନ୍ ଜାରିହୋଇଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ମୁଖ୍ୟସଚିବ ଶ୍ରୀ ତ୍ରିପାଠୀ ଗୁରୁବାର ଲେଖିଥିବା ଚିଠିରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ଵ ଦେଇଛନ୍ତି। ଏହାଛଡା ଗ୍ରାହକ ଓ ବ୍ୟବସାୟୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବୃହତ୍ତ ମାର୍କେଟ ଖୋଲିବା ଓ ସହରାଞ୍ଚଳର ନିକଟରେ ଖାଲି ପଡ଼ିଥିବା ସ୍ଥାନ, ଖେଳପଡ଼ିଆ ଓ ସଡ଼କକୁ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ଭିଡ଼ ହ୍ରାସ କରିବା ପାଇଁ ଦୋକାନଗୁଡ଼ିକ ରାତି ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଖୋଲାଯାଇ ପାରିବ। ପ୍ରତି ଦୋକାନ ସମ୍ମୁଖରେ ଗୋଲ ଚିହ୍ନ ଦିଆଯାଉ। ଏହା ଦ୍ୱାରା ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ହୋଇପାରିବ। ପ୍ରତି ସହରାଞ୍ଚଳରେ ଗ୍ରୋସରୀ, ପନିପରିବା, ଫଳ, ଔଷଧ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରକୁ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇପାରିବ। କିଛି ସହରରେ ଏହି କାମ ଆରମ୍ଭ ହୋଇଯାଇଛି। ଯଥାସମ୍ଭବ ମୋବାଇଲ ଭ୍ୟାନ ମାଧ୍ୟମରେ ଗ୍ରୋସରୀ, ପନିପରିବା, ଫଳ, ପାଣି ଆଦି ଯୋଗାଇବାକୁ ବ୍ୟବସ୍ଥା କରାଯିବାକୁ କୁହାଯାଇଥିବା ବେଳେ ଠେଲାଗାଡ଼ି ଓ ରିକ୍ସାରେ ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ନିୟୋଜିତ କରାଯାଇପାରିବ ବୋଲି ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *