ଓଡିଶା ପାଇଁ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବାତ୍ୟା ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି। ବାତ୍ୟାର ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ବାତ୍ୟା କ୍ଷୟକ୍ଷତିର ବିସ୍ତୃତ ଆକଳନ କରିବାପରେ ଆବଶ୍ୟକ ପଡ଼ିଲେ ଭାରତ ସରକାର ଅଧିକ ସହାୟତା ଯୋଗାଇ ଦେବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶୁକ୍ରବାର ଅପରାହ୍ନରେ ଭୂବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହେଇଥିବା ରାଜ୍ୟର ବିଭିନ୍ନ ଅଂଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ସୂଚନା ଅନୁସାରେ ମୋଦୀ ଭଦ୍ରକ ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସମେତ ତିହିଡ଼ି ଓ ଧାମରାର ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଏହାପରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ବାତ୍ୟାସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଥିଲେ। ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ପରିସ୍ଥିତିର କରିଥିଲେ ସମୀକ୍ଷା। ଏହି ବୈଠକରେ ରାଜ୍ୟପାଳଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବାତ୍ୟା ଅମ୍ଫାନ ଯୋଗୁ ରାଜ୍ୟର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମୟୂରଭଂଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ପ୍ରାୟ ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ମତାମତ ଦିଅନ୍ତୁ ।