ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ, କରୋନା ଭୟରେ କେହି ଆସିଲେନି

ମାଲକାନଗିରି : କରୋନା ଭୟ ପାଇଁ ମାନବିକତା ହଜାଇଦେଉଛି। ନିଜ ଲୋକମାନେ ପାଖ ମାଡୁନାହାନ୍ତି। ଶବ ସତ୍କାର ପାଇଁ ମିଳୁନି ସମ୍ପର୍କୀୟଙ୍କ କାନ୍ଧ। ଏପରି ଘଟଣା ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ଏହାର ପୁନରାବୃତ୍ତି ହୋଇଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁରେ। ଜଣେ ସରକାରୀ କର୍ମଚାରୀଙ୍କ ଶବ ସତ୍କାର ପାଇଁ ସଂପର୍କୀୟ କିମ୍ବା ଆତ୍ମୀୟ କେହି ନଆସିବାରୂ ଶେଷରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପତ୍ନୀ ପୁଷ୍ପା ନାୟକ ପିପିଇ କିଟ୍‌ ପିନ୍ଧି ସ୍ଵାମୀଙ୍କ ମୁଖାଗ୍ନି ଦେଇଛନ୍ତି।

ଖବର ଅନୁଯାୟୀ ମାନ୍ଦାପାଲ୍ଲୀ ଗାଁର କୃଷ୍ଣଚନ୍ଦ୍ର ନାୟକଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା। ସେଠାରେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ କୃଷ୍ଣ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରେଫର କରିଥିଲେ। ଆମ୍ବୁଲାନ୍‌ସରେ ବିଶାଖାପାଟଣା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିବାରୁ ଘରକୁ ଫେରାଇ ଆଣାଯାଇଥିଲା।

ଅନ୍ତ୍ୟୋଷ୍ଟିକ୍ରିୟାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ବ୍ଲକ ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସହ ଶିକ୍ଷକ ବନ୍ଧୁମାନେ ଉପସ୍ଥିତ ରହିଥିଲେ। ମୃତ୍ୟୁବରଣ କରିଥିବା କୃଷ୍ଣ ନାୟକ ବୋରିଗୁମା ଓ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିଲେ। କୋରାପୁଟ ଜିଲ୍ଲା ଜୟପୁରରେ ରହୁଥିଲେ। ତାଙ୍କର ୪ଜଣ ଝିଅ ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।