ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରାଳୟ ତରଫରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ। ମୋବାଇଲ ଫୋନ ଏସଏମଏସ ମାଧ୍ୟମରେ ପଠାଯାଇଥିବା ଲିଙ୍କକୁ କ୍ଲିକ୍ କରି କାର୍ଡ ହିତାଧିକାରୀମାନେ ଡାଉନଲୋଡ୍ କରିପାରିବେ।

ରବିବାର ପ୍ରଧାନମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ପରେ ଯେଉଁମାନଙ୍କୁ ସମ୍ପତ୍ତି କାର୍ଡର ଲାଭ ମିଳିବ ସେମାନଙ୍କ ସହ କଥା ହୋଇଥିଲେ। ଏହି ପ୍ରପର୍ଟି କାର୍ଡରେ ଲୋନ୍ ମିଳିବା ସହଜ ହେବ। ଅନ୍ୟ କେହି ସମ୍ପତ୍ତି ଉପରେ ଆଖି ପକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ କହିଛନ୍ତି। ଏହି ଯୋଜନାରେ ୬ଟି ରାଜ୍ୟର ୭୬୩ ପଞ୍ଚାୟତ ରହିଛି। ଏବେ ଏକ ଲକ୍ଷ ଲୋକଙ୍କୁ ଏହାର ଫାଇଦା ମିଳିବ। ଉତ୍ତର ପ୍ରଦେଶର ୩୪୬ ପଞ୍ଚାୟତ ରହିଥିବା ବେଳେ ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ଦୁଇଟି ପଞ୍ଚାୟତ ଏହି ଯୋଜନାରେ ରହିଛି।

ମତାମତ ଦିଅନ୍ତୁ ।