ତେଲ ଉପରୁ କେନ୍ଦ୍ରିୟ ଟିକସ ହ୍ରାସ ବିଜେଡିର ଦାବି : ବିଜେପି କହିଲା ରାଜ୍ୟ ସରକାର ଛାଡ଼ କରନ୍ତୁ

ଭୁବନେଶ୍ଵର : କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ। ରାଜ୍ୟର ଆଦିବାସୀ ଅଧୁଷିତ ଜିଲ୍ଲାରେ ପେଟ୍ରୋଲ ମୂଲ୍ୟ ଶହେ ଟଙ୍କା ଟପିବା ପରେ ତୈଳଦର ବୃଦ୍ଧିକୁ ନେଇ ସ୍ଵର ଉଠାଇ କେନ୍ଦ୍ରୀୟ ଟିକସକୁ ଦାୟୀ କରିଛି ବିଜେଡ଼ି। ବିଜେପି କହିଛି କେନ୍ଦ୍ର ଉପରେ ଦୋଷ ନଲଦି ରାଜ୍ୟ ସରକାର ପ୍ରଥମେ ଟିକସ ଛାଡ଼ କରନ୍ତୁ।

ମହାମାରୀ କରୋନା ସମୟରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ଲଗାମ ନାହିଁ। କ୍ରମାଗତ ଭାବେ ଦର ବଢି ବଢି ଚାଲିଛି। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପେଟ୍ରୋଲ ଓ ଡିଜେଲକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରଯାଇଥିଲା। ଦେଶବାସୀଙ୍କୁ ସ୍ଵପ୍ନ ଦେଖାଯାଇଥିଲା ଏହାଦ୍ୱାରା ଲୋକେ ଉପକୃତ ଏବେ। ମୂଲ୍ୟ କମିବା ଓ ବଢିବା ପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏବେ ଲୋକେ ଶୋଷଣର ଶିକାର ହେଉଛନ୍ତି।

ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସ ବର୍ମା କହିଛନ୍ତି କେନ୍ଦ୍ରରେ ଥିବା ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ। କିନ୍ତୁ ଏବେ ତାହାର ଓଲଟା ହେଉଛି। ସେଥିପାଇଁ କେନ୍ଦ୍ରୀୟ ଟିକସ ହ୍ରାସ ଓ କୃଷି ସେସ୍ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ହେଲେ ବିଜେପି ନିତ୍ୟ ବ୍ୟବହାର୍ଯ୍ୟ ମୂଲ୍ୟ ବୃଦ୍ଧି କଥା ଆଉ କହୁନାହିଁ। ଏବେ କହିଛି କେନ୍ଦ୍ର ଉପରେ ଦୋଷ ନଦେଇ ରାଜ୍ୟ ସରକାର ପ୍ରଥମେ ଟିକସ ଛାଡ଼ କରନ୍ତୁ।

ସୂଚନାଯୋଗ୍ୟ ମେ’ ୪ ତାରିଖ ପରେ ତେଲ ଦର ୨୦ ଥର ବଢ଼ିଛି। ଫଳରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୨୯ ପଇସା ଓ ଡିଜେଲ ଲିଟର ୫ଟଙ୍କା ୨୮ ପଇସା ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟର ଟିକସ କରୋନା ମହାମାରୀ ସମୟରେ ଗ୍ରାହକଙ୍କ ଉପରେ ବୋଝ ହେଲାଣି। ଏକ ତଥ୍ୟ ଅନୁଯାୟୀ ତୈଳର ମୌଳିକ ମୂଲ୍ୟ ୪୦ ଟଙ୍କା ୫୧ ପଇସା। କିନ୍ତୁ ଏହା ଉପରେ କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ୩୨ ଟଙ୍କା ୯୦ ପଇସା ନେଉଥିବା ବେଳେ ରାଜ୍ୟ ସରକାର ୩୨ ପ୍ରତିଶତ ହିସାବରେ ୨୩ ଟଙ୍କା ୩୧ ପଇସା ଭାଟ ଲାଗୁ କରିଛନ୍ତି।
ଏହାଛଡା ଡିଲର କମିଶନ ୩.୩୦ ଟଙ୍କା ରହିଛି। ଯାହା ସୂଚନା ରହିଛି ଆଗକୁ ପେଟ୍ରୋଲ-ଡିଜେଲ ମୂଲ୍ୟ ଆହୁରି ବଢିବ। ଏପରିକି ସରକାର ଟିକସ ହ୍ରାସ ନକଲେ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଅସମ୍ଭବ ନୁହେଁ।

Leave a Reply

Your email address will not be published. Required fields are marked *

Back to top button