ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ପୋଷ୍ୟ କାର୍ଯ୍ୟକ୍ରମ

ଭୁବନେଶ୍ଵର : ଥାଲାସେମିଆରେ ପୀଡିତ ରୋଗୀମାନଙ୍କ ଦେହରେ ପ୍ରାକୃତିକ ଉପାୟରେ ରକ୍ତ ତିଆରି ହୋଇନଥାଏ। ସେମାନେ ବିଭିନ୍ନ ସ୍ଵେଚ୍ଛାକୃତ ରକ୍ତଦାତାମାନଙ୍କ ଦ୍ୱାରା ଦାନ କରାଯାଉଥିବା ରକ୍ତରେ ବଞ୍ଚନ୍ତି। କିନ୍ତୁ ବର୍ତ୍ତମାନ କରୋନା ମହାମାରୀ ସମୟରେ ରକ୍ତଦାତା ମିଳୁ ନ ଥିବାରୁ ଏହି ରୋଗୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନ ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସ୍ଵେଚ୍ଛାକୃତ ରକ୍ତଦାତାମାନେ ଜଣେ ଜଣେ ଥାଲାସେମିଆ ପୀଡିତଙ୍କୁ ରକ୍ତପୋଷ୍ୟ ଭାବେ ଗ୍ରହଣ କରିବେ। ସେହି ରୋଗୀମାନଙ୍କ ପାଇଁ ଆବଶ୍ୟକ ସମୟରେ ରକ୍ତଦାନ କରିବେ।

ଏହି ଅଭିନବ ପ୍ରୟାସ ଯୋଗୁ ଥାଲାସେମିଆ ରୋଗୀର ପରିବାର ବର୍ଗଙ୍କୁ ସମାନ ଗ୍ରୁପର ରକ୍ତଦାତା ଖୋଜିବାପାଇଁ ଆଉ ପରିଶ୍ରମ କରିବାକୁ ପଡିବ ନାହିଁ ବୋଲି ସମର୍ପିତ ଓ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସଦାଶିଵ ଜେନା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସମର୍ପିତ ଓ ସେବାର ସଦସ୍ୟ ବିଶ୍ୱଜିତ ଲେଙ୍କା ଓ ରାକେସ ପରିଡା ଦୁଇଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ପାଇଁ ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ କରିଛନ୍ତି।

ମତାମତ ଦିଅନ୍ତୁ ।