ଥାନାରେ ଗୁହାରି ପରେ ଅଢେଇ ଫୁଟ ଉଚ୍ଚତା ଅଜିମଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ

ଶାମଲି : ବାହାଘରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଉତ୍ତର ପ୍ରଦେଶ କେରାନାର ୨ ଫୁଟ ୩ ଇଞ୍ଚ ଉଚ୍ଚତାର ଅଜିମ ମନସୁରୀ। ସେ ବିବାହ କରିବାକୁ ଚହୁଁଛନ୍ତି କିନ୍ତୁ ଝିଅ ମିଳୁନି। ଏହାକୁ ନେଇ ଅଜିମ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଅନେକ ଅଧିକାରୀଙ୍କ ନିକଟରେ ନିବେଦନ କରି ନିରାଶ ହୋଇଥିଲେ। ବାହାଘର କରାଇ ଦେବାକୁ ମହିଳା ଥାନା ଇନ୍ସପେକ୍ଟରଙ୍କୁ ଗୁହାରି କରିବା ପରେ ତାଙ୍କ ଭାଗ୍ୟ ଖୋଲିଛି। ସୋସିଆଲ ମିଡ଼ିଆରେ ଅଜିମଙ୍କ ବିବାହ ପ୍ରସଙ୍ଗ ଭାଇରାଲ ହେବାରୁ ଏବେ ଅନେକ ପ୍ରସ୍ତାବ ଆସିଛି।
ଖବର ଅନୁଯାୟୀ ଦିଲ୍ଲୀ, ବିହାର, ଗାଜିଆବାଦ, ବୁଲନ୍ଦସହର ଓ ଅନ୍ୟ ସ୍ଥାନମାନଙ୍କରୁ ଅଜିମଙ୍କ ପାଇଁ ବିବାହ ପ୍ରସ୍ତାବ ଆସୁଛି। କିନ୍ତୁ ଏକ ସମସ୍ୟା ହୋଇଛି ଝିଅ ବାଛିବା। ସେ କାହାକୁ ବାହାହେବେ ତାକୁ ନେଇ ଚିନ୍ତିତ। ଅଜିମଙ୍କ ପରିବାର ଲୋକ ପ୍ରସ୍ତାବ ଦେଖୁଛନ୍ତି। ଶୀଘ୍ର ଭଲ ଝିଅ ଦେଖି ବାହାଘର କରିବାକୁ ପ୍ରସ୍ତୁତି କରୁଛନ୍ତି। କିଛି ଯୁବତୀ ସୋସିଆଲ ମିଡ଼ିଆରେ ଭିଡିଓ ଜାରି କରି ଅଜିମଙ୍କୁ ବାହାହେବାକୁ ଇଚ୍ଛା ଜାହିର କରିଛନ୍ତି।
ଦିଲ୍ଲୀର ଜଣେ ଯୁବତୀ ଅଜିମଙ୍କୁ ବାହାହେବାକୁ ସୋସିଆଲ ମିଡ଼ିଆରେ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଅଜିମଙ୍କୁ ବହୁତ ପସନ୍ଦ କରନ୍ତି। ତାଙ୍କୁ ବାହା ହେବାକୁ ଚାହାଁନ୍ତି। ବିବାହ ପ୍ରସ୍ତାବ ପାଇବା ପରେ ଅଜିମ ଏବେ ବହୁତ ଖୁସି। ଖୁବ ଶୀଘ୍ର ବର ବେଶରେ ସଜେଇ ହେବାକୁ ପ୍ରସ୍ତୁତ ହେଉଛନ୍ତି।