ଟିଏମସିକୁ ଫେରିବା ପାଇଁ ମମତାଙ୍କୁ ଚିଠି ଲେଖିଲେ ସୋନାଲି ଗୁହା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟିକା ସୋନାଲି ଗୁହା ବିଜେପିରେ ସାମିଲ ହୋଇଥିଲେ। ଏବେ ଦଳକୁ ଫେରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି।

ସୋନାଲି ଚିଠିରେ ଲେଖିଛନ୍ତି ମୁଁ ମନ ଦୁଃଖ କରି ଏହା ଲେଖୁଛି। ମୁଁ ଭାବପ୍ରବଣ ହେବା ପରେ ଅନ୍ୟ ଦଳରେ ଯୋଗଦେବା ପାଇଁ ଭୁଲ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୁଁ ସେଠାରେ ଅଭ୍ୟସ୍ତ ହୋଇପାରିଲି ନାହିଁ। ଯେଉଁଭଳି ଭାବରେ ଏକ ମାଛ ପାଣିରୁ ଦୂରେଇ ରହିପାରିବ ନାହିଁ, ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ ଦିଦି। ମୁଁ ତୁମକୁ କ୍ଷମା ପ୍ରାର୍ଥନା କରୁଛି। ଯଦି ତୁମେ ମୋତେ କ୍ଷମା ନକର, ମୁଁ ବଞ୍ଚି ପାରିବି ନାହିଁ। ଦୟାକରି ମୋତେ ଫେରିଯିବା ପାଇଁ ଅନୁମତି ଦିଅ। ମୋର ଅବଶିଷ୍ଟ ଜୀବନ ତୁମ ସ୍ନେହରେ ବିତାଇବି ବୋଲି ସେ ଉଲ୍ଲେଖ କରିଛନ୍ତି।

ଟିଏମସିକୁ କ’ଣ ପାଇଁ ଫେରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନରେ ସୋନାଲୀ କହିଛନ୍ତି ବିଜେପିରେ ଯୋଗଦେବା ପାଇଁ ମୋର ନିଷ୍ପତ୍ତି ଭୁଲ ଥିଲା। ମୁଁ ଆଜି ତାହା ଅନୁଭବ କରିପାରୁଛି। ମୁଁ ଦଳ ଛାଡିବା ବିଷୟରେ ବିଜେପିକୁ କହିବାକୁ ଇଚ୍ଛା କଲି ନାହିଁ। କାରଣ ଦଳରେ ମୋର କୌଣସି ସମ୍ମାନ ନାହିଁ। ସେମାନେ ମୋତେ ଦିଦିଙ୍କ ବିରୋଧରେ କହିବାକୁ ବ୍ୟବହାର କରିବାକୁ ଚାହୁଁଥିଲେ। କିନ୍ତୁ ମୁଁ ତାହା କରିପାରିଲି ନାହିଁ। ଏବେ ମୁଁ ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଛି। ସେ ଜଣେ ମୁଖ୍ୟମନ୍ତ୍ରୀ। ନିହାତି ଭାବରେ ବ୍ୟସ୍ତ ଥିବେ। ସେଥିପାଇଁ ମୁଁ ଚିଠି ଲେଖିଛି। ଜବାବ ନମିଳିଲେ ମୁଁ ଆସନ୍ତା ସପ୍ତାହରେ ତାଙ୍କୁ ଭେଟିବାକୁ ଯିବି।

ଉଲ୍ଲେଖଯୋଗ୍ୟ ଟିଏମସି ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନଦେବା ପରେ ରାଗରେ ସୋନାଲି ଗୁହା ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନ ନଲଢ଼ିଲେ ମଧ୍ୟ ବିଜେପିକୁ ସୁଦୃଢ କରିବା ପାଇଁ କାମ କରିବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର
between image and heading

Comments are closed.