ଟିକା ଦରକାର ନାହିଁ : ଯୋଗ ଓ ଆୟୁର୍ବେଦର ଡବଲ୍‌ ଡୋଜ୍‌ ନେଉଛି – ବାବା ରାମଦେବ

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ କରୋନା ଟିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ସଂକ୍ରମଣରୁ ବଞ୍ଚିବା ପାଇଁ ଟିକା ନେବେ ନାହିଁ। ଯୋଗ ଓ ଆୟୁର୍ବେଦର ଡବଲ୍‌ ଡୋଜ୍‌ ନେଉଛି। ଟିକାର କୌଣସି ଆବଶ୍ୟକତା ନାହିଁ। ଦୀର୍ଘବର୍ଷ ହେଲା ଯୋଗାଭ୍ୟାସ କରୁଥିବାରୁ ସଂକ୍ରମଣର ଭୟ ନାହିଁ।

ରାମଦେବ କହିଛନ୍ତି ଭାଇରସ୍‌ର ଯେତେ ଭାରିଏଣ୍ଟ ଆସିଲେ ମଧ୍ୟ ସଂକ୍ରମଣ ହେବ ନାହିଁ। ଯୋଗ ତାଙ୍କୁ ସଂକ୍ରମଣରୁ ବଞ୍ଚାଇ ରଖିବ। କରୋନାକୁ ମାତ ଦେବାକୁ ହେଲେ ଲୋକମାନଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି। ଭୂତାଣୁର ସବୁ ପ୍ରକାର ଭାରିଏଣ୍ଟରୁ ବଞ୍ଚିବାକୁ ହେଲେ ଲୋକଙ୍କୁ ଯୋଗ ଉପରେ ଭରସା କରିବାକୁ ପଡ଼ିବ। ସର୍ଜରୀ ସାଇନ୍ସ ନୁହେଁ ଏହା ଏକ ସ୍କିଲ୍‌ (କୌଶଳ)।

ରାମଦେବ କହିଲେ ଆଗାମୀ ଦିନରେ ଲୋକେ ଆୟୁର୍ବେଦ ଚିକିତ୍ସା ଉପରେ ଅଧିକ ଭରସା କରିବେ। କରୋନା ଟିକା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଭ୍ୟାକସିନ୍‌ ଶତ ପ୍ରତିଶତ ପ୍ରଭାବଶାଳୀ ନୁହେଁ। ଟିକା ନେବା ପରେ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ମେଡିକାଲ୍‌ ଏମର୍ଜେନ୍ସିରେ ଏଲୋପାଥି ଚିକିତ୍ସା ପଦ୍ଧତି ଫଳପ୍ରଦ। କିନ୍ତୁ ଲକ୍ଷ ଲକ୍ଷ ବର୍ଷ ହେଲା ଲୋକେ ଆୟୁର୍ବେଦ ଉପରେ ଭରସା କରିଆସୁଛନ୍ତି। ଗତ କିଛି ମାସରେ କରୋନା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଥିବାର କାରଣ ଏଲୋପାଥି ଦ୍ଵାରା ପ୍ରତି ରୋଗର ଚିକିତ୍ସା ସମ୍ଭବ ନୁହେଁ। ତେଣୁ ସରକାରଙ୍କ ଠାରେ ଦାବି କରିଛନ୍ତି ଆୟୁର୍ବେଦ ମାଧ୍ୟମରେ ଶଲ୍ୟ ଚିକିତ୍ସା ପାଇଁ ଅନୁମତି ଦିଆଯାଉ। ଯୋଗ, କରୋନିଲ୍‌, ଆୟୁର୍ବେଦର ଚେରମୂଳି ସହିତ ସଠିକ୍‌ ଖାଦ୍ୟପେୟ ଦ୍ଵାରା ଲୋକେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। କିନ୍ତୁ ଏଲୋପାଥିରେ ଆଣ୍ଟିବାୟୋଟିକ୍‌ ଔଷଧ ଦିଆଯିବା ଦ୍ଵାରା ଶରୀର ଉପରେ କୂପ୍ରଭାବ ପଡ଼ୁଛି ବୋଲି ରାମଦେବ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button