ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ଫକୀରମୋହଙ୍କ ଭୂମି ବାଲେଶ୍ଵରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ସେମାନଙ୍କର ସମାନ ଅଧିକାର ରହିଛି। ଏହି ଯୋଜନାରେ ରାଜ୍ୟର ବସ୍ତି ଗୁଡିକରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ସୁଯୋଗ ସୃଷ୍ଟି କରାଯିବ। ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ଵ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କୋଭିଡ ନିୟମାବଳୀ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ବାଲେଶ୍ଵରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ ଜମି ପ୍ରମାଣପତ୍ର ଆବଣ୍ଟନ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ପାଇବେ। ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ ଏହାଦ୍ଵାରା ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ର ଲୋକାର୍ପଣ କରିଥିଲେ। ସୂଚନାଯୋଗ୍ୟ ଆଉ ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅଛି। ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ଏହାର ଏସଓପି ଉନ୍ମୋଚିତ କରିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଦିଲ୍ଲୀସ୍ଥିତ ସେଣ୍ଟର ଫର ପଲିସ ରିସର୍ଚ୍ଚ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା।

ବାଲେଶ୍ଵରର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଗର ଉନ୍ନୟନ ଓ ଗୃହନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତିକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି । ବର୍ତ୍ତମାନ ବସ୍ତିର ଜନସାଧାରଣ ସହରର ଅନ୍ୟ ଅଞ୍ଚଳ ପରି ସମାନ ସୁବିଧା ଓ ସମାନ ଅଧିକାର ପାଇପାରିବେ। ଗରିବ ଲୋକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ପାଇଁ ସେ ଧନ୍ୟବାଦ ଦେଇଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଜାଗା ମିଶନର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।