ଟ୍ରାନ୍‌ସ୍‌ଫର୍‌ମର୍‌ରେ ଟ୍ରକ୍‌ ଧକ୍କା ଲାଗିବାରୁ ଡ୍ରାଇଭର୍‌ ଓ ସୁପର୍‌ଭାଇଜର୍‌ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ଅନନ୍ତରାୟପୁରରେ ମାଛ-ଟ୍ରକ୍‌ ଟ୍ରାନ୍‌ସ୍‌ଫର୍‌ମର୍‌ ବିଜୁଳି ଖୁଣ୍ଟାରେ ଧକ୍କା ଖାଇବାରୁ ଡ୍ରାଇଭର୍‌ ଓ ସୁପର୍‌ଭାଇଜର୍‌ଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ତାମିଲନାଡୁର ସୋନ୍ଧିନାଥନ୍‌ ସୁବ୍ରମଣ୍ୟମ୍‌ ଓ ମଧ୍ୟମ କୁମାର ମୁଥାଝାଗମ୍‌।

ଖବର ଅନୁଯାୟୀ ଗତରାତିରେ ଡ୍ରାଇଭର୍‌ ସୋନ୍ଧିନାଥନ୍‌ ଓ ସୁପର୍‌ଭାଇଜର୍‌ ମଧ୍ୟମ କୁମାର ଅନନ୍ତରାୟପୁର ଗ୍ରାମରେ ପହଞ୍ଚି ମାଛ ବୋଝେଇ କରିବାକୁ ଟ୍ରାକକୁ ପାର୍କିଙ୍ଗ୍‌ କରୁଥିଲେ। ଏହି ସମୟରେ ହେଲ୍‌ପର୍‌ ଲେଲିନ୍‌ ତଳକୁ ଓହ୍ଲାଇ ଟ୍ରକ୍‌କୁ ପଛୁଆ ଚଳାଉଥିବା ଡ୍ରାଇଭର୍‌ଙ୍କୁ ରାସ୍ତା ବତାଉଥିଲେ। କିନ୍ତୁ ଘନ ଅନ୍ଧାର ଯୋଗୁଁ ଟ୍ରାନ୍‌ସ୍‌ଫର୍‌ମର୍‌ ବସିଥିବା ବିଜୁଳି ଖୁଣ୍ଟରେ ଟ୍ରକ ଧକ୍କା ଲାଗିବାରୁ ବିଜୁଳି ପ୍ରବାହିତ ହେବାରୁ ପ୍ରଥମେ ହେଲ୍‌ପର୍‌ ଟଳିପଡ଼ିଥିଲେ। ହେଲ୍‌ପର୍‌ ପଡ଼ିଯିବା ଦେଖି ଡ୍ରାଇଭର୍‌ ଓ ସୁପର୍‌ଭାଇଜର ତଳକୁ ଓହ୍ଲାଇବା ଲାଗି ଟ୍ରକ୍‌ କ୍ୟାବିନ୍‌ ଡୋର୍‌କୁ ଧରିବା ମାତ୍ରେ ବିଜୁଳି ଆଘାତ ପାଇ ମୃତ୍ୟୁବରଣ କରିଥିଲେ।

ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ବିଜୁଳି ବିଭାଗ ଓ ପୋଲିସକୁ ଖବର ଦେବାରୁ ୧୦୮ ଆମ୍ବୁଲାନ୍‌ସ୍‌ରେ ସମସ୍ତଙ୍କୁ ‘ଏମ୍‌କେସିଜି’ରେ ଭର୍ତ୍ତି କରଯାଇଥିଲା। ହେଲେ ଡ୍ରାଇଭର୍‌ ଓ ସୁପର୍‌ଭାଇଜର୍‌ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ହେଲ୍‌ପର୍‌ଙ୍କର ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *

Back to top button