ଉତ୍ତର କୋରିଆ ଜାରି କଲା ସିକ୍ରେଟ୍ ଭିଡିଓ ସନ୍ଦେଶ

ପ୍ୟୋଙ୍ଗୟାଙ୍ଗ : ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ତାଙ୍କ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ଉତ୍ତର କୋରିଆ ୟୁଟ୍ୟୁବ୍‌ରେ ଏକ ଗୋପନୀୟ ଭିଡିଓ ସନ୍ଦେଶ ସମଗ୍ର ଦୁନିଆରେ ହଲଚଲ ସୃଷ୍ଟି କରିଛି। କୁହାଯାଉଛି ଏହି ଭିଡିଓ ବାର୍ତ୍ତାକୁ ଉତ୍ତର କୋରିଆ ନିଜର ଅନ୍ତର୍ଜାତୀୟ ଗୁପ୍ତଚରଙ୍କ ପାଇଁ ପଠାଇଛି। ଭିଡିଓର ଶୀର୍ଷକ ୦୧୦୦୦୧୧୦୦୧-୦୦୧ ରହିଛି। ଏଥିରେ କୂଟ ଭାଷାରେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭିଡିଓକୁ ଉତ୍ତର କୋରିଆ ପ୍ରସାରଣ ଚ୍ୟାନେଲର ୟୁଟ୍ୟୁବ୍‌ ପେଜ୍‌ରେ ଅପଲୋଡ୍ କରାଯାଇଛି।

ଭିଡିଓରେ ଜଣେ ମହିଳା କହୁଛନ୍ତି ପ୍ରିୟ ବନ୍ଧୁ ଗଣ ଆପଣଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟାର ଅଧ୍ୟୟନ ପାଇଁ ଏକ ଦୂର ଏଜୁକେଶନ ୟୁନିଭର୍ସିଟିର ସମୀକ୍ଷାର ଆବଶ୍ୟକତା ରହିଛି। ଏହାପରେ ମହିଳା କିଛି କହିବା ଆରମ୍ଭ କରି ସେଥିରେ ରହସ୍ୟମୟ ଘଟଣାର ଉଦାହରଣ ଦେଇଛନ୍ତି। ଭିଡିଓଟି ପ୍ରାୟ ୬୫ ସେକେଣ୍ଡର। ଏଥିରେ କୌଣସି ଛବି ନାହିଁ। ଭିଡିଓର ଶେଷ ଭାଗରେ କୁହାଯାଇଛି ଏହି କାମ ୭୧୯ ସନ୍ଧାନୀ ଟିମ୍‌ର ସଦସ୍ୟ ପାଇଁ ରହିଛି। ଭିଡିଓଟି ‘ଏଠାରେ ପ୍ୟୋଙ୍ଗୟାଙ୍ଗ’ କହି ସମାପ୍ତ ହୋଇ ଯାଉଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଉତ୍ତର କୋରିଆ ଏହିପରି ସନ୍ଦେଶ ସମଗ୍ର ଦୁନିଆରେ ବିଶେଷ କରି ଦକ୍ଷିଣ କୋରିଆରେ ରହୁଥିବା ଗୁପ୍ତଚରଙ୍କ ପାଇଁ ଜାରି କରିଥାଏ। ପୂର୍ବରୁ ସନ୍ଦେଶକୁ ଭିଡିଓ ମାଧ୍ୟମରେ ପଠାଯାଉଥିଲା। ପ୍ରଥମ ଥର ଉତ୍ତର କୋରିଆ ୟୁଟ୍ୟୁବ୍ ଜରିଆରେ ଏହି ସନ୍ଦେଶକୁ ପ୍ରସାରିତ କରିଛି। ଶୀତଳ ଯୁଦ୍ଧ ସମୟରେ ଉତ୍ତର କୋରିଆ ସର୍ଟଓ୍ଵେବ୍‌ ରେଡିଓ ଜରିଆରେ ନିଜର ରହସ୍ୟମୟ ସନ୍ଦେଶ ପଠାଉଥିଲା। ଏଥିରେ ଅନେକ ଥର ଶିଶୁଙ୍କ ସ୍ଵର ରହୁଥିଲା। ଯାହାକୁ ଜାରି କରୁଥିଲା ଗୁଇନ୍ଦା ବିଭାଗ। ଜାରଣ ଶୀତଳ ଯୁଦ୍ଧ ସମୟରେ ଉତ୍ତର କୋରିଆର ପ୍ରତ୍ୟେକ ଏଜେଣ୍ଟଙ୍କ ପାଖରେ ସର୍ଟଓ୍ଵେବ୍‌ ରେଡିଓ ରହିବା ବାଧ୍ୟତାମୂଳକ ଥିଲା। କିନ୍ତୁ ଏଥର ଇଣ୍ଟରନେଟ୍‌ ବ୍ୟବହାର କରି ଅନ୍ତର୍ଜାତୀୟ ଗୁପ୍ତଚରଙ୍କୁ କୂଟ ସନ୍ଦେଶ ପଠାଇଛି।

ମତାମତ ଦିଅନ୍ତୁ ।